ଓଡିଶା

odisha

By

Published : Oct 5, 2022, 10:18 PM IST

ETV Bharat / state

ବିଜୟା ଦଶମୀ: ବ୍ୟାସନଗରରେ ସିନ୍ଦୁର ଖେଳରେ ମସଗୁଲ ମହିଳା

ଯାଜପୁର ବ୍ୟାସନଗର ପୌରପରିଷଦର ବିଭିନ୍ନ ପୂଜା ମଣ୍ଡପରେ ଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବଙ୍ଗାଳୀ ଏବଂ ଓଡିଆ ମହିଳାମାନେ ମାଙ୍କୁ ପୂଜା କରିବା ପରେ ପରସ୍ପରର ମଥା ଓ ମୁହଁରେ ସିନ୍ଦୁର ବୋଳି ଉତ୍ସବ ମନାଇଥିଲେ । ଅଧିକ ପଢନ୍ତୁ

ବ୍ୟାସନଗରରେ ସିନ୍ଦୁର ଖେଳରେ ମସଗୁଲ ମହିଳା
ବ୍ୟାସନଗରରେ ସିନ୍ଦୁର ଖେଳରେ ମସଗୁଲ ମହିଳା

ଯାଜପୁର:ଆଜି ପବିତ୍ର ବିଜୟା ଦଶମୀ । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ଯ୍ୟାୟ । ବିଭିନ୍ନ ମଣ୍ଡପରେ ଧୁମଧାମରେ ପାଳିତ ହୋଇଯାଇଛି ବିଜୟାଦଶମୀ ଓ ଅପରାଜିତା ପୂଜା । ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ଏବଂ ନହକା ପୂଜାମଣ୍ଡପରେ ବଙ୍ଗୀୟ ପଦ୍ଧତିରେ ପାଳିତ ହୋଇଛି ଦୁର୍ଗାପୂଜା । ବିଜୟାଦଶମୀରେ ପୂଜାମଣ୍ଡପରେ ମହିଳାମାନଙ୍କ ସିନ୍ଦୁର ଖେଳ ହେଉଛି ଏଠାକାର ବିଶେଷତ୍ବ । ବଙ୍ଗାଳୀ ଏବଂ ଓଡିଆ ମହିଳାମାନେ ମାଙ୍କୁ ପୂଜା କରିବା ପରେ ପରସ୍ପରର ମଥା ଓ ମୁହଁରେ ସିନ୍ଦୁର ବୋଳି ଉତ୍ସବ ମନାଇଥାନ୍ତି । ମହିଳାମାନେ ଏକାଠି ହୋଇ ମାଙ୍କ ନିକଟରେ ନିଜ ସ୍ବାମୀ, ପିଲା ଏବଂ ପରିବାରର ମଙ୍ଗଳ କାମନା କରି ମାଙ୍କୁ ବିଦାୟ ଦେଇଛନ୍ତି ।

ବ୍ୟାସନଗରରେ ସିନ୍ଦୁର ଖେଳରେ ମସଗୁଲ ମହିଳା


ଶାରଦୀୟ ଦୁର୍ଗୋତ୍ସବ ଉପଲକ୍ଷେ ଯାଜପୁରର ବିଭିନ୍ନ ପୂଜାମଣ୍ଡପ ଚଳଚଞ୍ଚଳ । ଷଷ୍ଠୀରୁ ବିଲ୍ବବରଣୀ କରାଯାଇ ଆରମ୍ଭ ହୋଇଥିଲା ମାଙ୍କ ପୂଜାର୍ଚ୍ଚନା । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ପରେ ଆଜି ପାଳିତ ହୋଇଛି ବିଜୟା ଦଶମୀ ଉତ୍ସବ ଓ ଅପରାଜିତା ପୂଜା । ପରମ୍ପରା ଅନୁଯାୟୀ ମହିଳା ମାନେ ସିନ୍ଦୁର ଖେଳରେ ସାମିଲ ହୋଇ ପରସ୍ପରର ଅହିସୁଲକ୍ଷଣୀ କାମନା କରିଛନ୍ତି । ଏଥିସହିତ ପରିବାର ଓ ପଡୋଶୀଙ୍କ ମଙ୍ଗଳ କାମନା କରିଛନ୍ତି । ସଧବା ମହିଳାମାନେ ପରସ୍ପରର ମଥା ଓ ମୁହଁରେ ସିନ୍ଦୁର ବୋଳି ଆନନ୍ଦଉଲ୍ଲାସରେ ପାଳନ କରିଛନ୍ତି ଏହି ଉତ୍ସବ ।

ଏହା ମଧ୍ୟ ପଢନ୍ତୁ: Dussehra 2022: ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀଙ୍କୁ ଦର୍ଶନ କଲେ ରାଜ୍ୟପାଳ


ବିଜୟାଦଶମୀରେ ମହିଳାଙ୍କ ସିନ୍ଦୁର ଖେଳ ଉତ୍ସବ ଏକ ନିଆରା ପରମ୍ପରା । ସାଧାରଣତଃ ଏହା ବଙ୍ଗୀୟମାନଙ୍କର ବହୁ ପୁରାତନ ପରମ୍ପରା । ତେବେ ବ୍ୟାସନଗର ସହରର ମୁଣ୍ଡମାଳ ପୂଜାମଣ୍ଡପରେ 60ରୁ ଉର୍ଦ୍ଧ୍ବ ବର୍ଷ ଧରି ଏହି ପରମ୍ପରା ପାଳିତ ହୋଇଆସୁଛି । ମାତ୍ର ଗତ ପ୍ରାୟ 15 ବର୍ଷ ହେବ ସ୍ଥାନୀୟ ନହକା ମଣ୍ଡପରେ ମଧ୍ୟ ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଛି । ଯେଉଁଥିରେ ସ୍ଥାନୀୟ ବଙ୍ଗାଳୀ ମହିଳାଙ୍କ ସହ ସାମିଲ ହୋଇଛନ୍ତି ବହୁ ଓଡିଆ ଓ ଅନ୍ୟ ଭାଷାଭାସିର ମହିଳା । ବିଜୟା ଦଶମୀରେ ସଧବା ମହିଳାମାନେ ମାଦୁର୍ଗାଙ୍କ ନିକଟରେ ପୂଜା କରି ସେମାନଙ୍କର ସୈଧବ କାମନା କରିଛନ୍ତି । ଏଥିସହ ସ୍ବାମୀ ଓ ପିଲାମାନଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରଛନ୍ତି । ପୂଜକ ମଧ୍ୟ ଶ୍ରଦ୍ଧାଳୁଙ୍କ ହାତରେ ଅପରାଜିତା ବ୍ରତ ବାନ୍ଧି ଆଶୀର୍ବାଦ ପ୍ରଦାନ କରିଛନ୍ତି ।


ଆଜି ମଣ୍ଡପରେ ଦଶମୀ ପୂଜା ଶେଷ ହୋଇଥିବା ବେଳେ ଗୁରୁବାର ଭସାଣୀ ହେବ । ଭସାଣରେ ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details