ଯାଜପୁର: ଆଜି(ଶନିବାର) ମଧ୍ୟରାତିରେ ଆରମ୍ଭ ହେବ ମା’ ଶ୍ୟାମାକାଳୀଙ୍କର ପୂଜା । ଏଥିପାଇଁ ଯାଜପୁର ଓ ବ୍ୟାସନଗର ସହରରେ ମଣ୍ଡପ ମାନଙ୍କରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ କାରିଗର । ଦିନ ରାତି ଏକ କରି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି କାରିଗର । ହେଲେ ଏଥର କୋରୋନା କଟକଣା ଯୋଗୁଁ କୌଣସି ମଣ୍ଡପରେ ବିଶାଳକାୟ ମୂର୍ତ୍ତି ନିର୍ମାଣ ହେଉନି । ବିନା ବାରୁଆଳି, ବିନା ସାଜସଜ୍ଜାରେ ନିରାଡମ୍ବର ଭାବେ ପାଳିତ ହେବ ଏଥରର ମା ଶ୍ୟାମାକାଳୀଙ୍କ ପୂଜା । ପୂଜା କମିଟି ଗୁଡିକ ଯେତିକି ନିରୁତ୍ସାହିତ ମୂର୍ତ୍ତିକାର ମଧ୍ୟ ସେତିକି ବିବଶ । ହେଲେ କୋଭିଡ୍ କଟକଣା ମଧ୍ୟରେ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ବନ୍ଦୋବସ୍ତ ।
ପ୍ରଶାସନର ଘୋଷଣା ଅନୁଯାୟୀ ମାତ୍ର 4ଫୁଟ୍ ଉଚ୍ଚର ମୂର୍ତ୍ତି ଗଢିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ଦୁର୍ଗାପୂଜା ଭଳି କାଳୀପୂଜାରେ ବି ସମାନ୍ ଅବସ୍ଥା । ଏଥର କାଳୀପୂଜାରେ ଅପେରା, ମୀନାବଜାର, ଭସାଣୀ ପାଇଁ ରୋଷଣୀ ସବୁକିଛି ବାତିଲ୍ ହୋଇଛି । ବଡକଥା ହେଲା ବ୍ୟାସନଗର ସହରରେ ଲକ୍ଷାଧିକ ଲୋକଙ୍କ ସମାଗମରେ 13ଟି ମେଢକୁ ନେଇ ଯେଉଁ ମେଳଣ ଉତ୍ସବ ପାଳିତ ହୋଇଥାଏ ତାହା ମଧ୍ୟ କୋଭିଡ୍ ଯୋଗୁଁ ଏଥର ବାତିଲ ହୋଇଗଲା ।