ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଖପୁରିଆପଦା ଗାଁ ସ୍କୁଲରେ ସରସ୍ବତୀ ପୂଜା ଭୋଜି ଖାଇ ୧ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିଭଳି ୨ଜଣ ଶିକ୍ଷକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ପରେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ । ଆକ୍ରାନ୍ତ ହୋଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଖପୁରିଆପଦା ସ୍କୁଲରେ ଗତକାଲି ସରସ୍ବତୀ ପୂଜା କରାଯାଇଥିଲା । ପୂଜା ପରେ ଛାତ୍ରଛାତ୍ରୀଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକମାନେ ମଧ୍ୟ ଭୋଜି ଖାଇଥିଲେ । ଶୁକ୍ରବାର ସକାଳୁ ଛାତ୍ରଛାତ୍ରୀଙ୍କ ସହିତ କିଛି ଶିକ୍ଷକଙ୍କର ଝାଡାବାନ୍ତି ହୋଇଥିଲା । ଛାତ୍ରଛାତ୍ରୀଙ୍କର ଅସୁସ୍ଥତା ଦେଖି ପରିବାର ଲୋକେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ଏବେ ମେଡ଼ିକାଲରେ ସମସ୍ତ ଛାତ୍ରଛାତ୍ରୀଙ୍କର ଚିକିତ୍ସା ଚାଲିଥିବା ବେଳେ ପ୍ରଧାନଶିକ୍ଷକଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।
ସେପଟେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ମନ୍ତ୍ରୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପହଞ୍ଚି ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭେଟି ଚିକିତ୍ସା ସମ୍ପର୍କରେ ବୁଝାସୁଝା କରିଛନ୍ତି । ଏଥିସହିତ କିଭଳି ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ହେବେ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି । ସେପଟେ 12ଜଣ ଗୁରୁତର ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ସୂଚନା ମିଳିଛି l