ଯାଜପୁର/ଫୁଲବାଣୀ: ଶନିବାର ସ୍ବାୟତ୍ତ ଶାସନ ଦିବସ ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯାଜପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହାପରେ ଗାନ୍ଧୀଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା । ଏଥିସହ କୁସୁମା ହ୍ରଦ ନିକଟସ୍ଥ ବିଜୁ ପଟ୍ଟନାୟକ ମାର୍ଗରେ ଏକ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର ଏହି ଉତ୍ସବରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପର ସଂଯୋଜକ ପ୍ରମୁଖ ଯୋଗ ଦେଇ ସହରକୁ ସବୁଜ ସୁନ୍ଦର କରିବା ପାଇଁ କେବଳ ପଲିଥିନ ମୁକ୍ତ କରିବାକୁ ହେବ ବୋଲି ମତ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ସମଗ୍ର ସହର ପରିକ୍ରମା କରିଥିଲେ ।
ସେହିପରି ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଫୁଲବାଣୀ ସଦର ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ପୌରପାଳିକା ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସହରର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା ଓ କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ