ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବ୍ଲକ ପରିସରରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମରିବା ଅଭିଯୋଗ । କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡମାରିବା ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ବ୍ଲକ କର୍ମଚାରୀ ।
କାର୍ଯ୍ୟରତ ଯନ୍ତ୍ରୀଙ୍କୁ ଆକ୍ରମଣ ଅଭିଯୋଗରେ ବ୍ଲକ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅଭିଯୋଗ ମୁତାବକ ଏକ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ବ୍ଲକର କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ସହ ସ୍ଥାନୀୟ ହରିପୁର ସରପଞ୍ଚଙ୍କ ବଚସା ହୋଇଥିଲା । ପରେ ବ୍ଲକ ପରିସରରେ ସ୍ଥାନୀୟ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ, ତାଙ୍କ ସ୍ବାମୀ ଓ ଅନ୍ୟ କେତେକ ବ୍ୟକ୍ତି କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବା ଘଟଣାକୁ ବ୍ଲକର ଅନ୍ୟ କର୍ମଚାରୀମାନେ ନିନ୍ଦା କରିଛନ୍ତି । ଏହାର ପ୍ରତିବାଦରେ ଆଜି ଠାରୁ କାର୍ଯ୍ୟବନ୍ଦ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲିଙ୍ଗରାଜ ବେହେରା ।
ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବ୍ଲକ କର୍ମଚାରୀ । ନଚେତ୍ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିବାସହ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ । କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ମଦ୍ୟପାନ କରି ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରା କହିଛନ୍ତି, ''ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ ସୂଚନା ଫଳକ ଲାଗିନଥିଲା । ଏ ସମ୍ପର୍କରେ ଜାଣିବାପରେ କାମ ବନ୍ଦ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ କହିଥିଲି । କିନ୍ତୁ ହରିପୁର ସରପଞ୍ଚ ପୁଣିଥରେ ଫୋନ କରି କହିଥିଲେ ସେଠାରେ ବିନା ସୂଚନା ଫଳକରେ କେମିତି କାମ ଚାଲୁଛି । ହେଲେ ମୁଁ ତାଙ୍କୁ କହିଥିଲି କାମ ସେଠାରେ ବନ୍ଦ ଅଛି । ମୁଁ ଯାଇ କାମ ବନ୍ଦ କରିଛି । "ତେବେ ଯନ୍ତ୍ରୀ ଜଣକ କାମ ବନ୍ଦ ଅଛି କାମ ଚାଲୁନାହିଁ ବୋଲି କହିବା ପରେ ମଧ୍ୟ ଶୁଣିନଥିଲେ ସରପଞ୍ଚ ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯେଉଁଥିରେ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳ, ତାଙ୍କ ସ୍ବାମୀ ଓ ଅନ୍ୟ କେତେକ ବ୍ୟକ୍ତି କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । ଏହାସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଏଭଳି ମାଡ଼ମାରିବା ଓ ଦୁର୍ବ୍ୟବହାର କରିବା ନେଇ ସାଧାରଣରେ ନିନ୍ଦା କରାଯାଇଛି ।
ଇଟିଭି ଭାରତ, ଯାଜପୁର