ଯାଜପୁର:ସୁକିନ୍ଦା ବ୍ଲକ ପରିସରରେ ମହିଳା ସରପଞ୍ଚଙ୍କୁ ଜେଇଙ୍କ ଦୁର୍ବ୍ୟବହାର ଘଟଣା । କୋରେଇ ବ୍ଳକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କଲେ ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ । ରାସ୍ତା କାମ ନେଇ ଅଭିଯୋଗ କରିବାରୁ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳଙ୍କୁ ବ୍ଲକର ବିଭାଗୀୟ ଜେଇ ବ୍ଲକ କାର୍ଯ୍ୟାଳୟରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।
ସୂଚନା ଅନୁଯାୟୀ ଗତ ୨୨ ତାରିଖରେ ସୁକିନ୍ଦା ବ୍ଲକ ହରିପୁରରେ ନିର୍ମାଣ ହୋଇଥିବା ଏକ କଂକ୍ରିଟ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହେବା ସହିତ ବିନା ଫଳକରେ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ସରପଞ୍ଚ ନିକଟରେ ଅଭିଯୋଗ କରିଥିଲେ । ସରପଞ୍ଚ ଶର୍ମିଷ୍ଠା ବରାଳ ବିଭାଗୀୟ ଜେଇ ଲିଙ୍ଗରାଜ ବେହେରାଙ୍କୁ ଏହି ଘଟଣା ସମ୍ପର୍କରେ ଜାଣିବା ପାଇଁ ଫୋନ କରିଥିଲେ । କିନ୍ତୁ ଜେଇ ଏହି ସମୟରେ ବ୍ଲକରେ ନାହାନ୍ତି ବୋଲି କହିଥିଲେ । ଏହାପରେ ସରପଞ୍ଚ ଯେତେବେଳେ ବ୍ଲକ ଆସିଥିଲେ ସେତେବେଳେ ଜେଇ ବ୍ଲକ ପରିସରରେ ମଦ ପିଉଥିବାର ଦେଖିଥିଲେ ଏବଂ ଉଭୟଙ୍କ ମଧ୍ୟରେ କଥାକଟାକଟି ହେଇଥିଲା ।