ଯାଜପୁର: ଆରମ୍ଭ ହେଲାଣି ମୌସୁମୀ ଜନିତ ବର୍ଷା । କିନ୍ତୁ, ଏଯାଏଁ ମରାମତି ହୋଇପାରୁନି ଦୁର୍ବଳ ନଦୀ ବନ୍ଧ । ପ୍ରତ୍ୟେକ ବର୍ଷ ନଦୀ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ହୋଇପାରୁ ନାହିଁ । ବନ୍ୟା ଆଶଙ୍କା ନେଇ ନଈକୂଳିଆ ଲୋକଙ୍କ ଠାରୁ ଚାଷୀକୂଳ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ।
ଚଳିତ ବର୍ଷର ମୌସୁମୀ ବର୍ଷା ଆରମ୍ଭ ହୋଇଛି । କିନ୍ତୁ, ଏପର୍ଯ୍ୟନ୍ତ ଦୁର୍ବଳ ନଦୀ ବନ୍ଧ ଗୁଡିକ ମରାମତି ହୋଇନି । ଫଳରେ, ବନ୍ୟା ଆସିଲେ ନଦୀକୂଳିଆ ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ, ବାଣପୁର ଅଞ୍ଚଳର ଦୃଶ୍ୟ । ଯେଉଁଠି ମରାମତି ଅଭାବରୁ ନଦୀ ବନ୍ଧ ଗୁଡିକ ଦୁର୍ବଳ ଅବସ୍ଥାରେ ରହିଛି । ଜଳ ସମ୍ପଦ ବିଭାଗ ସବୁ ଜାଣି ନଜାଣିବା ପରି ଅଭିନୟ କରୁଛି । ଗତ ଦୁଇ ବର୍ଷ ତଳେ ଚନ୍ଦ୍ରମୁଁ ପଞ୍ଚାୟତର ମଲିପୁର ଠାରେ ଘାଇ ସୃଷ୍ଟି ହୋଇଥିଲା । କିନ୍ତୁ, କେବଳ ବାଲି ପକାଇ ଘାଇ ମରାମତି କାର୍ଯ୍ୟ ସାରିଛି ଜଳ ସମ୍ପଦ ବିଭାଗ । ଏହାର ସ୍ଥାୟିତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ? ରାଜ୍ୟ ସରକାରଙ୍କର ନିଷ୍ପତ୍ତି ମୁତାବକ ବର୍ଷା ଦିନ ଆସିବା ପୂର୍ବରୁ ନଦୀ ବନ୍ଧ ଗୁଡିକୁ ମରାମତି କରିବା କଥା କିନ୍ତୁ, ଏହି ନିର୍ଦ୍ଦେଶନାମାକୁ ଜଳସମ୍ପଦ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।