ଯାଜପୁର: ବାତ୍ଯା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ମିଳୁନି ରିଲିଫ । ଜିଲ୍ଲାରେ ରିଲିଫ ପ୍ରଦାନରେ ହୋଇଛି ବ୍ୟାପକ ଦୁର୍ନିତି । ଏପରି ଅନିୟମିତତା ଅଭିଯୋଗ ଆଣି ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି ।
ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଯାଜପୁର ରିଲିଫ ବଣ୍ଟନରେ ଅନିୟମିତତା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଏକ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଜିଲା ସଂଗଠନ କମିଟି ପକ୍ଷରୁ ଅଚ୍ୟୁତାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶହସ୍ରାଧିକ କୃଷକ ଓ କ୍ଷେତ ମଜଦୂର ସଂଗଠନ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଏକ ରାଲିରେ ବାହାରିଥିଲେ । ପରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ବାତ୍ୟାରେ ଭାଙ୍ଗିଯାଇଥିବା ଘର ଗୁଡ଼ିକୁ ଅବିଳମ୍ବେ କ୍ଷତିପୂରଣ ଯୋଗାଇ ଦେବା, ସମସ୍ତ କଚାଘର ଗୁଡ଼ିକୁ ପକ୍କାଘରେ ପରିଣତ କରିବା, ଫନି ବାତ୍ୟାରେ ବିପର୍ଯ୍ୟସ୍ତ ରବି ଚାଷ, ଆମ୍ବ, କାଜୁ, ନଡ଼ିଆ ଓ ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ଦାବି ହୋଇଛି । ଏହା ସହିତ ଅନାବାଦୀ ଜମିରେ ଚାରାରୋପଣ ବନ୍ଦ କରି ଦିର୍ଘଦିନ ଧରି ଚାଷ ବାସ କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜମିପଟ୍ଟା ଯୋଗାଇ ଦେବା, ୧୧ଲକ୍ଷ ଆଦିବାସୀ ଲୋକମାନଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ ବନ୍ଦ କରାଯିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ