ଯାଜପୁର/କେନ୍ଦ୍ରାପଡା: ଅବାଧ ଏବଂ ନିରପେକ୍ଷ ନିର୍ବାଚନର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ଗ୍ରାଉଣ୍ଡରେ ଯାହା ଘଟୁଛି ତାହା ଦେଖିଲେ ଲାଗୁଛି, ସତେ ଯେପରି ହିଂସା ନିର୍ବାଚନର ଏକ ଅମୋଘ ଅସ୍ତ୍ର । କେଉଁଠି ବୁଥ କ୍ୟାପ୍ଚର ତ କେଉଁଠି ଭୋଟ ବାକ୍ସ ଲୁଟ । କେଉଁଠି ପ୍ରଚାର ବେଳେ ଗଣ୍ଡଗୋଳ ତ ପୁଣି କେଉଁଠି ରାତି ଅଧରେ ବୁଲୁଛି ଖଣ୍ଡା । ପୁଣିଥରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ଅଶାନ୍ତ ହୋଇଉଠିଛି ଉପକୂଳବର୍ତ୍ତୀ ଜିଲ୍ଲା । ବୁଥ ଜବରଦଖଲ ଅଭିଯୋଗ ଆସିବା ପରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଯାଜପୁରରେ ହୋଇଛି ଆକ୍ରମଣ ।
ସାମ୍ବାଦିକଙ୍କୁ ଅତି ଅମାନୁଷିକ ଭାବେ ଆକ୍ରମଣ କରିବା ସହ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ବିଞ୍ଝାରପୁର ବାଛୋଳ ପଞ୍ଚାୟତରେ ଦଳୀୟ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ୩ ସାମ୍ବାଦିକ । କେବଳ ସାମ୍ବାଦିକ ନୁହେଁ ନିର୍ବାଚନୀ ହିଂସାର ଶିକାର ହୋଇଛନ୍ତି ସରକାରୀ ବାବୁ । ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ବିଶୃଙ୍ଖଳା ଦେଖି 8, 9, 10 ଓ 11 ନମ୍ବର ବୁଥରେ ମତଦାନ ବନ୍ଦ କରାଯାଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ସେଠାରେ ପହଞ୍ଚିଥିବା କୋରାଇ ବିଡିଓ ରଞ୍ଜନ କୁମାର ପରିଡାଙ୍କୁ ବି ଛାଡି ନଥିଲେ ଆକ୍ରମଣକାରୀ ।