ଓଡିଶା

odisha

ETV Bharat / state

ଫୁଟବଲରଙ୍କ ପାଦରେ ଦାରିଦ୍ର୍ୟ ବେଡି, ବିଲ ରୋଉଛନ୍ତି ଖେଳାଳି - jajpur news

ଅନେକ ପ୍ରତିଭାବାନ୍ ଖେଳାଳି ପ୍ରୋତ୍ସାହନ ଅଭାବରୁ ନିଜ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଆଗରୁ ମଉଳି ଯାଉଛନ୍ତି । ଏପରି ଜଣେ ପ୍ରତିଭାବାନ୍ ଆଦିବାସୀ ଝିଅ ହେଲେ ଲକ୍ଷ୍ମୀ ମୁଣ୍ଡା । ଅଧିକ ଖବର ପଢନ୍ତୁ...

ପ୍ରତିଭା ଆଗରେ ଦାରିଦ୍ର୍ୟ ବେଡି, ବିଲ ରୋଉଛନ୍ତି ଫୁଟବଲ ଖେଳାଳୀ
ପ୍ରତିଭା ଆଗରେ ଦାରିଦ୍ର୍ୟ ବେଡି, ବିଲ ରୋଉଛନ୍ତି ଫୁଟବଲ ଖେଳାଳୀ

By

Published : Oct 7, 2020, 9:05 PM IST

Updated : Oct 7, 2020, 10:39 PM IST

ଯାଜପୁର: ଫୁଟବଲ ଖେଳୁଥିବା ପାଦ ଆଜି ତାଙ୍କର ଥମିଯାଇଛି। ପ୍ରତିଭା ପାଇଁ ପ୍ରଶଂସା ସାଉଁଟିଥିବା ଝିଅ ଆଜି ପେଟ ପାଇଁ କଷ୍ଟ କରୁଛି। ଦିନ ଥିଲା ରାଜ୍ୟ ଓ ଜାତୀୟ ସ୍ତରରେ ଖେଳି ନିଜର ପରାକାଷ୍ଠା ଦେଖାଉଥିଲେ। ହେଲେ ଆଜି ସମୟର ଚକ୍ରରେ ଅନ୍ୟ ବିଲରେ ତଳି ରୋଉଛନ୍ତି। କୋରୋନା କାଳରେ ଏପରି ସ୍ଥିତିଦେଇ ଗତି କରୁଛନ୍ତି ଆଦିବାସୀ ଅଞ୍ଚଳର ଝିଅ ଲକ୍ଷ୍ମୀ ମୁଣ୍ଡା। ଦାରିଦ୍ର୍ୟର କଷାଘାତରେ ଦୁଇମୁଠା ଖାଦ୍ୟ ଯୋଗାଡ ପାଇଁ ଲକ୍ଷ୍ମୀ ଦିନ ମଜୁରିଆଭାବେ ଅନ୍ୟର ବିଲ ବାଛୁଥିବା ଦେଖିବାକୁ ମିଳିଛି।

ପ୍ରତିଭା ଆଗରେ ଦାରିଦ୍ର୍ୟ ବେଡି, ବିଲ ରୋଉଛନ୍ତି ଫୁଟବଲ ଖେଳାଳୀ

ଛୋଟ ବେଳୁ ଫୁଟବଲ ଖେଳ ପ୍ରତି ତାଙ୍କର ରୁଚି ରହିଥିଲା । 2010ରେ ଲକ୍ଷ୍ମୀ ଫୁଟବଲରେ ପ୍ରଥମେ ବ୍ଲକ୍ ଓ ପରେ ଜିଲ୍ଲାସ୍ତରୀୟ ଖେଳାଳୀ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । 2015ରେ ସେ ନ୍ୟାସନାଲ 17ବର୍ଷରୁ କମ୍ ପ୍ରତିଯୋଗୀତାରେ ମଣିପୁରର ଇମ୍ଫାଲ, 2016ରେ 19ବର୍ଷରୁ କମ୍ ପଞ୍ଜାବରେ ହୋଇଥିବା ଇଣ୍ଡିଆନ୍ ଓମେନ୍ ଲିଗରେ ସେ ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ଖେଳିଥିଲେ ।

ସବୁବେଳେ ଡିଫେନ୍ସରେ ଖେଳି ନିଜର ଦକ୍ଷତାକୁ ପ୍ରତିପାଦିତ କରି ପାରିଥିଲେ ଲକ୍ଷ୍ମୀ। ହେଲେ ନିଜ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ଆଗରୁ ମଉଳି ଯାଇଛି ତାଙ୍କ ଅସୁମାରୀ ଆଶା। ସେପଟେ 2017 ମସିହାରୁ ସରକାରୀ ସ୍ତରରେ ଚାକିରୀ ପାଇଁ ନିବେଦନ କରିଥିଲେ ହେଁ ତାହା ଅଦ୍ୟାବଧି ମିଳିପାରିନାହିଁ । ଯାହାକୁ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଯାଜପୁର ସୁକିନ୍ଦା ବ୍ଲକ୍ ମଙ୍ଗଳପୁର ଗାଁ ସମଲିସାହିର ବାଲାଇ ମୁଣ୍ଡାଙ୍କର 5ଝିଅ ଓ ଗୋଟିଏ ପୁଅ । ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀ ମୁଣ୍ଡା ସବୁଠୁ ସାନ ଝିଅ । ମା ଏକାକରି ଚାଲିଯିବା ପରେ ଏବେ ଲକ୍ଷ୍ମୀଙ୍କ ପାଖରେ 70 ବର୍ଷ ବୁଢା ବାପା ବାଲାଇ ମୁଣ୍ଡା। ଭତ୍ତା ଟଙ୍କା ଓ ବିପିଏଲ ପରିବାର ହିସାବରେ ଖାଦ୍ୟ ସୁରକ୍ଷା ଯୋଜନାରେ ଯାହା କିଛି ମିଳୁଛି ସେଥିରେ ବାପା, ଭାଇ, ଭାଉଜ ଓ ତାଙ୍କର 5 ଭାଇ ଭଉଣୀଙ୍କୁ ନିଅଣ୍ଟ ପଡୁଥିବା କହିଛନ୍ତି ଲକ୍ଷ୍ମୀ ।

ଏଭଳି ପରିସ୍ଥିତିରେ ଜାତୀୟ ସ୍ତରର ଖେଳ ପ୍ରଦର୍ଶନ ପାଇଁ ଆବଶ୍ୟକ ପଡୁଥିବା ଉପଯୁକ୍ତ ପ୍ରଶିକ୍ଷଣ, କ୍ରୀଡା ଉପକରଣ ଆଦି ଯୋଗାଡ କରିବା ଲକ୍ଷ୍ମୀଙ୍କ ପାଇଁ କଷ୍ଟସାଧ୍ୟ ବ୍ୟାପାର ହୋଇପଡୁଛି । ଲକ୍ଷ୍ମୀଙ୍କୁ ପୁଷ୍ଟିକର ଖାଦ୍ୟ ମଳିବା ଦୂରର କଥା ଅର୍ଥ ସଂଗ୍ରହ ପାଇଁ ସଞ୍ଜ ସକାଳେ ଅଭ୍ୟାସ କରିବାକୁ ମଧ୍ୟ ସୁଯୋଗ ମିଳୁ ନାହିଁ । ଏପରିସ୍ଥଳେ ଲକ୍ଷ୍ମୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଓ ପ୍ରୋତ୍ସାହନ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳର ମାନବାଧିକାର କର୍ମୀ ଦାବୀ ଜଣାଇଛନ୍ତି ।

ଲକ୍ଷ୍ମୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ନିଶ୍ଚିତ ରୂପେ ତାଙ୍କ କ୍ରୀଡା ପ୍ରତିଭାକୁ ବିକଶିତ କରିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ନଚେତ୍ ବଣ ମଲ୍ଲୀ ବଣରେ ଫୁଟି ଝଡିଯିବା ପରି ଲକ୍ଷ୍ମୀଙ୍କ ପ୍ରତିଭା ହଠାତ୍ କେତେବେଳେ ଦାରିଦ୍ରତାର କଷାଘାତରେ ନିଜର ପରିଚୟ ହଜାଇ ବସିବ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 7, 2020, 10:39 PM IST

ABOUT THE AUTHOR

...view details