ଓଡିଶା

odisha

ETV Bharat / state

ଯାଜପୁରରେ ବଢୁଛି ବେଆଇନ ଇଟାଭାଟି, ନିରବଦ୍ରଷ୍ଟା ସାଜିଛି ପ୍ରଶାସନ - ବେଆଇନ ଇଟାଭାଟି

ଅସହ୍ୟ ଗରମରେ ଦାଉ ସାଧୁଛି ବେଆଇନ ଇଟାଭାଟି । ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଯୋଗୁଁ ଲୋକେ ଅଣନିଃଶ୍ବାସୀ ହୋଇପଡ଼ିଲେଣି । ହେଲେ ନିରବଦ୍ରଷ୍ଟା ପାଲଟିଛି ପ୍ରଶାସନ । ଅଧିକ ପଢ଼ନ୍ତୁ

ଯାଜପୁରରେ ବେଆଇନ ଇଟାଭାଟି
illegal bricks factories in jajpur

By

Published : Feb 21, 2023, 8:03 AM IST

ଜିଲ୍ଲାରେ ବଢୁଛି ବେଆଇନ ଇଟାଭାଟି

ଯାଜପୁର: ଦାଉ ସାଧୁଛି ବେଆଇନ ଇଟାଭାଟି । ଅତିଷ୍ଠ ହେଲେଣି ଗ୍ରାମବାସୀ । ଦିନରାତି ଇଟାଭାଟିର‌ ଚିମିନି ଲାଗି ଧୂଆଁରେ ପ୍ରଦୂଷଣର ଶିକାର ହେଉଛନ୍ତି ସ୍ଥାନୀୟ ଲୋକେ । କୌଣସି ପ୍ରଦୂଷଣ ବିଭାଗର ଅନୁମତି ନନେଇ ସରକାରୀ ନିୟମ ଓ ପ୍ରଦୂଷଣ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛନ୍ତି ଇଟାଭାଟି ମାଲିକ । ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ଇଟାଭାଟିଗୁଡ଼ିକୁ କ୍ଲୋଜର ନୋଟିସ ଜାରି କରାଯାଇଛି l ମାତ୍ର ଜିଲ୍ଲା ପ୍ରଶାସନର ଖାମଖିଆଲି ମନଭାବ ଯୋଗୁଁ ଇଟାଭାଟିରେ ଅଙ୍କୁଶ ଲାଗିପାରିନି । ଯାହାକୁ ନେଇ ଏବେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି l

ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳରେ ବେଆଇନ ଇଟାଭାଟି ଖୋଲି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଇଟାଭାଟି ମାଲିକ । ମାତ୍ର ଏହି ଇଟାଭାଟି ଖୋଲିବା ପୂର୍ବରୁ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି l ପ୍ରଦୂଷଣ ବିଭାଗର ନିୟମକୁ ଉଲ୍ଲଂଘନ କରିବା ସହିତ ଇଟାଭାଟି ପାଇଁ ଲାଗିଥିବା ଚିମିନି ଧୂଆଁରେ ଧୂଆଁମୟ ପରିବେଶ କରିଦେଉଛନ୍ତି । ଯାହାଫଳରେ ବିଷାକ୍ତ ଧୂଆଁରେ ପ୍ରଦୂଷଣର ଶିକାର ହୋଇ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଅଧିନ ସଠୀପୁର, ପଥରପଦା, ରୁଢିଆ ଓ ମୂଳାପାଳ ଆଦି ଅଞ୍ଚଳରେ ଅନେକ ବେଆଇନ ଇଟାଭାଟି ମାନ ଠିଆ ହୋଇଛି ।

ସ୍ଥାନୀୟ ଅଞ୍ଚଳର ଦୁଇଟି ବଡ଼ ସଂସ୍ଥା ଏପରି ବେଆଇନ ଇଟାଭାଟି ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରକାରୀ ନିୟମ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଇନକୁ ଖାତିର ନକରି ବେଆଇନ ଇଟାଭାଟି ଚଳାଇଛନ୍ତି । ଯାହାଫଳରେ ମୃତ୍ତିକା କ୍ଷୟ ହେବାସହ ଇଟାଭାଟିର ଚିମିନି ଧୂଆଁରେ ସ୍ଥାନୀୟ ଗ୍ରାମବାସୀ ପ୍ରଦୂଷଣର ଶିକାର ହେଉଛନ୍ତି । ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ କରୁଥିବା ଦେଖିବାକୁ ମିଳୁଛି l

ଜିଲ୍ଲାରେ ଶହଶହ ବେଆଇନ ଇଟାଭାଟି ଯୋଗୁଁ ମାଲିକମାନେ ମାଲାମାଲ ହେଉଥିବା ବେଳେ ରାଜସ୍ବ ହରାଉଛନ୍ତି ସରକାର । ଏହି ଇଟାଭାଟିଗୁଡିକ କେବଳ ପ୍ରଦୂଷଣ କରୁଛି ତାହା ନୁହେଁ ବେଆଇନ ଭାବେ ସରକାରୀ ଜମି ଜବରଦଖଲ କରି ଇଟାଭାଟି ଚଳାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଲୋକେ ଏହାକୁ ବିରୋଧ କଲେ ଇଟାଭାଟି ମାଲିକଙ୍କ କର୍ମଚାରୀ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ।‌ ତେବେ ଏହି ଅଞ୍ଚଳରେ ପ୍ରଦୂଷଣ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ଇଟାଭାଟିଗୁଡ଼ିକୁ ଅନେକ ଥର କ୍ଲୋଜର ନୋଟିସ ଜାରି କରାଯାଇଥିବା ଜିଲ୍ଲା ପ୍ରଦୂଷଣ ବିଭାଗ ଅଧିକାରୀ କହିଛନ୍ତି ।

ହେଲେ ଜିଲ୍ଲା ପ୍ରଶାସନ ଏମାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି । ଅନ୍ୟପଟେ ଏ ସମ୍ବନ୍ଧରେ ସ୍ଥାନୀୟ ତହସିଲଦାରଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଥିଲେ । କହିଥିଲେ ଯେ, ରିପୋର୍ଟ ଆସିଲେ ସେମାନଙ୍କୁ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାରମ୍ବାର ଅଭିଯୋଗ ସତ୍ତ୍ବେ ବେଆଇନ ଇଟାଭାଟିକୁ ବନ୍ଦ କରିବାରେ ବିଫଳ ହୋଇଛି ପ୍ରଶାସନ । ଆଗାମୀ ଦିନରେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନନେଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details