ଯାଜପୁର: ଦୁଇ ବର୍ଷର ଅପେକ୍ଷା ପରେ ଯାଜପୁର ଖଣ୍ଡିତରରେ ଆୟୋଜିତ ହେବ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା । ଜୁନ୍ ୧୩ ତାରିଖ ସନ୍ଧ୍ୟାରେ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟନ ହେବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୦ରୁ ଅଧିକ ଦଳ ଭାଗ ନେବେ ।
୬୭ତମ ସର୍ବଭାରତୀୟ କବାଡ଼ି ଟୁର୍ଣ୍ଣାମେଣ୍ଟ ପାଇଁ ଖଣ୍ଡିତର ମିନିଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖାଲି ସେତିକି ନୁହେଁ, ଟୁର୍ଣ୍ଣାମେଣ୍ଟ ଅନେକ ଦଳ ଖଣ୍ଡିତର ମିନି ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି । ପ୍ରତି ବର୍ଷ ରଜ ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥାଏ । କିନ୍ତୁ ବିଗତ ଦୁଇବର୍ଷ କୋଭିଡ ସଂକ୍ରମଣ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିନଥିଲା ।
ଯାଜପୁରର ଖଣ୍ଡିତର ଗାଁ ରାଜ୍ୟ କବାଡ଼ିର ଏନ୍ତୁଡ଼ିଶାଳ ରୂପରେ ଜଣାଶୁଣା । ଖଣ୍ଡିତର ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ସାରା ଦେଶରେ ବେଶ ପରିଚିତ । ଚଳିତ ବର୍ଷ ପୂରା ଟୁର୍ଣ୍ଣାମେଣ୍ଟ ମ୍ୟାଟରେ ଖେଳାଯିବ । ପୁରୁଷ ବିଭାଗରେ ରାଜ୍ୟ ବାହାରୁ ବିଳାସପୁର, ନାଗପୁର , ଗ୍ବାଲିଅର, ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ, କୋଲକାତା ପୋଲିସ, ମହିଳା ବିଭାଗରେ ଓଡ଼ିଶା ବାହାରୁ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ, ସାଇ ଛତିଶଗଡ଼ ଇଷ୍ଟକୋଷ୍ଟ୍ ରେଲୱେ ଦଳ ଅଂଶଗ୍ରହଣ କରିବେ ।