ଯାଜପୁର: ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଅନେକ ଯୋଜନା ହେଉଛି। ତେବେ ଏହି ଯୋଜନାର ସଫଳ ରୂପାୟନ ହେଉଥିବା ଦେଖାଯାଉନାହିଁ। ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତ ପାଇକାଳି-ବଗପାଟିଆ ଗ୍ରାମବାସୀ। ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା। ପ୍ରତିଦିନ ପିଇବା ପାଣି ପାଇଁ ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ନିକଟରେ ଲାଗୁଛି ଲମ୍ବା ଲାଇନ। ପାଣି ପାଇଁ ପ୍ରତିଦିନ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହେଉଛି।
ଗାଁରେ ଗୋଟିଏ ଟ୍ୟୁବୱେଲ ରହିଛି। ହେଲେ ଏହି ଟ୍ୟୁବୱେଲ ପାଣି ପିଇବା ଯୋଗ୍ୟ ନୁହେ। ଟ୍ୟୁବୱେଲରୁ ବାହାରୁଛି ନିପଟ ନାଲିପାଣି। ଗାଁରେ ଲୋକଙ୍କ ସୁବିଧା ପାଇଁ ସରକାରୀ ଯୋଜନାରେ ଗୋଟିଏ ସୋଲାର ଚାଳିତ ପାଣି ପମ୍ପ ବସିଥିଲା । ମାତ୍ର ଅଳ୍ପ କିଛିଦିନ ଚାଲିବା ପରେ ତାହା ବାତ୍ୟାରେ ଭାଙ୍ଗି ଅଚଳ ହୋଇଗଲା। ଏହାପରେ ଏହି ସୋଲାର ପମ୍ପକୁ ମରାମତି କରିବାକୁ ସରକାରୀ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କିଛି ସୁଫଳ ମିଳିନି।
ଖାଲି ସେତିକି ନୁହେଁ, ପିଇବା ପାଣି ପାଇଁ ଲୋକେ ଗାଁ ମୁଣ୍ଡରେ ଥିବା ଏକ ପାଣି ଚୁଆ ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ପାଇକାଳି-ବଗପାଟିଆ ଗ୍ରାମବାସୀ ମାଇଲ ମାଇଲ ବାଟ ଚାଲିବାକୁ ପଡ଼ୁଛି। ଅପରିଷ୍କାର ପାଣି ଯୋଗୁଁ ଗାଁ ଲୋକ ବିଭିନ୍ନ ସମୟରେ ରୋଗ ବ୍ୟାଧିରେ ପଡ଼ୁଥିବା ଅଭିଯୋଗ ହୋଇଛି। ପିଇବା ପାଣି ସଙ୍କଟ ଦୂର କରିବାକୁ ଗାଁର ଉପର ମୁଣ୍ଡରେ ଗୋଟିଏ ବଡ଼ ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ଏଥିରେ ପାଇପ ସଂଯୋଗ କରାଯାଉନଥିବା ଅଭିଯୋଗ ହୋଇଛି।