ଯାଜପୁର: କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ବାହାର ରାଜ୍ୟ ବା ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କ ନାମ ପଞ୍ଜିକରଣ କରାଇ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯିବ, ଯଦି କୋଣସି ବ୍ୟକ୍ତି ଏହାର ଉଲଘଂନ କରନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ ଅଧିକାରୀ ହେମନ୍ତ କୁମାର ଶର୍ମା ସତର୍କ କରାଇଛନ୍ତି । ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବାବେଳେ ସେମାନଙ୍କର ମଧ୍ୟ ଦାୟିତ୍ୱ ବଢ଼ିଯାଇଛି । ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ସହ ରହିବାସ୍ଥଳ, ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ, ରନ୍ଧାଖାଦ୍ୟ, ସୁରକ୍ଷା, ଚିକିତ୍ସା ଇତ୍ୟାଦି ପାଇଁ ମଧ୍ୟ ଉତ୍ତରଦାୟୀ ରହିବେ ।
କୌଣସି ବ୍ୟକ୍ତି କ୍ବାରେଣ୍ଟାଇନ କେନ୍ଦ୍ରରୁ ଘରକୁ ଯିବା ଆସିବା କରିପାରିବେ ନାହିଁ କିମ୍ବା ତାଙ୍କ ସହ କେହି ମିଶିପାରିବେ ନାହିଁ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ସି.ସି. ଟିଭି ବ୍ୟବସ୍ଥା କରାଯିବ ବୋଲି ସଚିବ ଶ୍ରୀ ଶର୍ମା କହିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ୫୭୧ଟି ଅସ୍ଥାୟୀ ଚିକିତ୍ସା ଶିବିର କରାଯାଇଥିବା ବେଳେ ଆଗକୁ ଆହୁରି ବଢ଼ାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।