ଯାଜପୁର:ପାଖେଇ ଆସୁଛି ପାର୍ବଣ । ଯାଜପୁରରେ ପୁଣି କମ୍ପିବ ଯାତ୍ରା ପେଣ୍ଡାଲ । ରଙ୍ଗୀନ ଆଲୁଅରେ ଦୁଲୁକିବ ମଞ୍ଚ । କୋଭିଡ ମହାମାରୀ ଯୋଗୁଁ ୨ ବର୍ଷ ହେବ ଘରେ ମୁହଁ ମାଡି ପଡିରହିଥିବା ବେଳେ ଚଳିତ ବର୍ଷ ପୁଣି ରଙ୍ଗବୋଳି ମଞ୍ଚକୁ ଓହ୍ଲାଇବେ ଯାତ୍ରା କଳାକାର । ଯାତ୍ରାପାର୍ଟି ମାଲିକଙ୍କଠାରୁ ଆରମ୍ଭ କରି କଳାକାର ଓ ଦର୍ଶକଙ୍କ ମଧ୍ୟରେ ଦେଖାଦେଇଥିଲା ନୈରାଶ୍ୟତା । ଫଳରେ ହତୋତ୍ସାହିତ ହୋଇପଡିଥିଲେ କଳାକାର । ସେଲିବ୍ରିଟି ଯାତ୍ରା କଳାକାରଙ୍କ ନିଖୁଣ ଅଭିନୟରେ ବିଭୋର ହେବେ ଦର୍ଶକ । ଚଳିତ ବର୍ଷ ଠାରୁ ଦର୍ଶକଙ୍କ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ପ୍ରସ୍ତୁତ ହେଉଛି ଜଲିଉଡ ଜଗତ ।ଆସନ୍ତା ଗଣେଷ ପୂଜା ପରଠାରୁ ଯାତ୍ରା ପେଣ୍ଡାଲ ଦୁଲୁକିବାକୁ ଥିବା ବେଳେ ନିଜ ନିଜ ଆଖଡା ଶାଳରେ ଅଭ୍ୟାସ ଜାରି ରଖିଛନ୍ତି କଳାକାର ।
ଦିନେ A ଗ୍ରେଡ ଯାତ୍ରା ପାର୍ଟି ଭାବେ ଜଗତସିଂହପୁର ଜିଲ୍ଲାର ପ୍ରାଧାନ୍ୟ ରହିଥିବା ବେଳେ ସମୟ ସ୍ରୋତରେ ଏହି ସ୍ଥାନକୁ ଦଖଲ କରିଛି ଯାଜପୁର ଜିଲ୍ଲା । ଆଧିନିକ ନୃତ୍ୟ ଓ ଗୀତ ପରିବେଷଣ କ୍ଷେତ୍ରରେ ଯାଜପୁର ଜିଲ୍ଲାର ଯାତ୍ରା ପାର୍ଟି ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଶିବାନୀ, କୋଣାର୍କ, ଧଉଳୀ, ତୁଳସୀ, ସାଇ ସମ୍ରାଟ, ସ୍ୱର୍ଣ୍ଣ ମନ୍ଦିର, ସ୍ୱପ୍ନ ମହଲ, ସୂର୍ଯ୍ୟ ମନ୍ଦିର ଭଳି ଅନେକ ଯାତ୍ରା ପାର୍ଟି ଅନେକ ନାଟକ ରହିଛି ଯାଜପୁର ଜିଲ୍ଲାର ପ୍ରଯୋଜକଙ୍କ ହାତରେ । ଏନେଇ ଅଭିନେତା, ଅଭିନେତ୍ରୀ, ଖଳନାୟକଙ୍କ ଠାରୁ ଆରମ୍ଭ କରି ପ୍ରଯୋଜକଙ୍କ ଖୁସି କହିଲେ ନସରେ । ଯାଜପୁର ଜିଲ୍ଲାରେ ଯାତ୍ରା ଇତିହାସ ଅନେକ ପୁରୁଣା । ରସୁଲପୁର ବ୍ଲକ ସାଂରଗପୁର ଅଞ୍ଚଳର ବିଶିଷ୍ଟ ନାଟ୍ୟକାର ଫକିର ମୋହନ ସାହାଣୀଙ୍କ ଉପରେ ପ୍ରସ୍ତୁତ ଏକ ନାଟକ ସାହାଣୀ ମାଷ୍ଟ୍ରେଙ୍କ ଭଂଗା ସିଲଟ ସାରା ରାଜ୍ୟରେ ଚହଳ ପକାଇଥିଲା । ସେଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଫକିର ମୋହନଙ୍କୁ ଯାତ୍ରା ସନ୍ୟାସୀର ଉପାଧି ମଧ୍ୟ ମିଳିଥିଲା । ଏହା ପରଠାରୁ ଯାତ୍ରା ଜଗତରେ ଅନେକ ଉଥାନ ପତନ ଆସିଛି ।