ପୁରୀ/ଯାଜପୁର/କଟକ: ପୁରୀ ସମୁଦ୍ରର ଦିଗ ବରଣି ଖୁଣ୍ଟି ନିକଟରେ ଅଘଟଣ । ମଙ୍ଗଳବାର ଅପରାହ୍ନରେ ଗାଧୋଇବା ବେଳେ ନିଖୋଜ ହୋଇଛନ୍ତି 2 ଯୁବକ । ନିଖୋଜ 2 ଯୁବକ ହେଲେ ଉତ୍ତରପ୍ରଦେଶର ଅନିଲ ଶିଖବାଲ ଓ ବିଜୟ ପାଲା । ତେବେ ନିୟୋଜିତ ଲାଇଫ ଗାର୍ଡ ଓ ଅଗ୍ନିଶମ କର୍ମଚାରୀ ଉଭୟଙ୍କୁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଏଯାଏଁ ସେମାନଙ୍କ ପତ୍ତା ମିଳିନାହିଁ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ/ଯାଜପୁର ଗତ କିଛି ଦିନ ଧରି ଲଗାତାର ଭାବେ ସମୁଦ୍ରରେ ଅଘଟଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ସଚେତନତା ଅଭାବରୁ ବହୁ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାବେଳେ ବୁଡି ପ୍ରାଣ ହରାଉଛନ୍ତି ।
ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଘୁନାଥପୁର ଗାଁରେ ଘଟିଛି । ପୋଖରୀରେ ଗାଧୋଇବାବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନିକଟସ୍ଥ କମାଗଡ ଗାଁର କ୍ଷୀରୋଦଳ ବଳଙ୍କ 18 ବର୍ଷର ପୁଅ ସତ୍ୟବ୍ରତ ବଳ । ସତ୍ୟବ୍ରତ ଯୁକ୍ତ 2ରେ ପାଠ ପଢୁଥିଲା ।
ସୂଚନାନୁସାରେ, ଲକ୍ଷ୍ମୀ ପୂଜା ପାଇଁ ସତ୍ୟବ୍ରତ ନିଜ ମାମୁଁ ଘର ଗାଁ ରଘୁନାଥପୁରକୁ ବୁଲି ଆସିଥିଲା । ମଙ୍ଗଳବାର ସକାଳେ ସେ ଗାଁ ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା କାରଣରୁ ତାର ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲା ।
ତେବେ ଗାଁ ଲୋକ ତାକୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ସତ୍ୟବ୍ରତର ମୃତଦେହକୁ ପଠାଇ ତଦନ୍ତ ଜାରି ରଖିଛି ।
ସମାନ ଘଟଣା କଟକ ବଡମ୍ବା ନରସିଂହପୁର ଅଞ୍ଚଳରେ ଘଟିଛି । ମହାନଦୀରେ ମାଛ ଧରିବା ସମୟରେ ଡଙ୍ଗା ବୁଡିଯିବାରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ମୃତ ଧୀବର ନରସିଂହପୁର ଅଞ୍ଚଳର ମଥୁରା ବେହେରା ।
ସୋମବାର ଅପରାହ୍ନରେ ମଥୁରା ଓ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କ ସହ ମାଛ ଧରିବାକୁ ମହାନଦୀ ଭିତରକୁ ଯାଇଥିଲେ । ଏହି ସମୟରେ ମହାନଦୀରେ ଗେଟ୍ ଖୋଲାଯିବାରୁ ପାଣିର ସ୍ରୋତ ଅତ୍ୟଧିକ ହୋଇଥିଲା । ଯହାଦ୍ବାରା ମଥୁରାଙ୍କ ଡଙ୍ଗାଟି ବୁଡିଯାଇଥିଲା । ତେବେ ମଥୁରାଙ୍କ ସହଯୋଗୀ ପହଁରି ନିଜ ଜୀବନ ବଞ୍ଚାଇଥିବାବେଳେ ସେ ବୁଡି ଯାଇଥିଲେ । ମଙ୍ଗଳବାର ଖବର ପାଇ ଓଡ୍ରାଫ୍ ଟିମ୍ ପହଞ୍ଚି ପାଖାପାଖି 8 ଘଣ୍ଟା ଖୋଜାଖୋଜି କରିବା ପରେ ମଥୁରାଙ୍କ ମୃତଦେହ ଉଦ୍ଧାର କରିଥିଲା । ସେ ଦୀର୍ଘ 17 ବର୍ଷ ଧରି ମହାନଦୀରୁ ମାଛ ଧରି ପରିବାର ଚଳାଉଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଯାଜପୁରରୁ ଜ୍ଞାନରଞ୍ଜନ ଓଝା ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ