ଯାଜପୁର: କୋରାଇ ଥାନା ତାରାକୋଟ ଗ୍ରାମରେ ଅମାନବୀୟ ଘଟଣା । ତାରାକୋଟ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଯୁବକ । ମୃତ ବୃଦ୍ଧା ଚନ୍ଦ୍ରମଣି ଜେନାଙ୍କ ସ୍ତ୍ରୀ ସଞ୍ଜୁକ୍ତା ଜେନା ବୋଲି ଜଣାପଡିଛି । ତେବେ ଏଘଟଣା ପରେ ଅଭିଯୁକ୍ତ ଯୁବକ ବିପିନ ବିହାରୀ ଜେନାକୁ ଗାଁ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନା ମୁତାବକ, ସଞ୍ଜୁକ୍ତା ଗାଁ ଦାଣ୍ଡରୁ ପାଣି ନେଇ ଘରକୁ ଯାଉଥିଲେ । ଏହି ସମୟରେ ବିପିନ ଏକ ଠେଙ୍ଗାରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ସଞ୍ଜୁକ୍ତାଙ୍କର ଜୀବନ ଚାଲି ଯାଇଥିଲା । ପରେ ଗ୍ରାମବାସୀ ଅଭିଯୁକ୍ତ ଯୁବକକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।ମୃତକଙ୍କ ପରିବାର ଲୋକେ କହିଛନ୍ତି ଅଭିଯୁକ୍ତ ବିପିନ୍ ବିହାରୀ ଜେନା ବିଭିନ୍ନ ସମୟରେ ଘର ଆଗରେ ଆସି ଗାଳି ଗୁଲଜ କରିଥାଏ । ଏନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ରହିଥିଲା । ଏଥିଯୋଗୁଁ ଅଭିଯୁକ୍ତ ବିପିନ ସଞ୍ଜୁକ୍ତା ଜେନାଙ୍କୁ ଟାର୍ଗେଟ କରିଥିଲା । ଆଜି ସଂଯୁକ୍ତାଙ୍କୁ ଏକୁଟିଆ ଦେଖି ବିପିନ ଆତର୍କିତ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।