ଯାଜପୁର:ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ । ଓଏଏସ ଟପ୍ପର ହୋଇଛନ୍ତି ଯାଜପୁରର ପୁଅ ଅଶ୍ବିନୀ କୁମାର ପଣ୍ଡା। ଏହି ପରୀକ୍ଷାରେ ମୋଟ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ୧୦ ଜଣକ ମଧ୍ୟରୁ ୭ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି। ଓଏଏସ୍ ପରୀକ୍ଷାରେ ୧ ନଂ ସ୍ଥାନ ହାସଲ କରିବାର ଅନୁଭୂତି ଅବର୍ଣ୍ଣନୀୟ ବୋଲି କହିବା ସହ ରେଜଲ୍ଟ ଶୁଣି ଖୁବ୍ ଖୁସି ଥିବା କହିଛନ୍ତି ଅଶ୍ୱିନୀ ।
ଅଶ୍ଵିନୀ କୁମାର ପଣ୍ଡା ଓଏଏସ ଟପ୍ପର ହେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଛି। କ୍ଷେତ୍ରପାଳ ଗ୍ରାମର ଅଭିମନ୍ୟୁ ପଣ୍ଡା ଓ ସେବତୀ ପଣ୍ଡାଙ୍କ ସାନ ପୁଅ ହେଉଛନ୍ତି ଅଶ୍ବିନୀ। ସେ ପ୍ରଥମ ପ୍ରୟାସରେ ହିଁ ସଫଳତା ପାଇ ପାରିଛନ୍ତି। ସ୍ଥାନୀୟ ଜନ କଲ୍ୟାଣ ହାଇସ୍କୁଲରୁ ପାଠପଢା ସରିବା ପରେ ରେଭେନ୍ସାରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଅଶ୍ଵିନୀ। ପୁଅର ଏହି ସଫଳତାରେ ବେଶ ଉତ୍ସାହିତ ଅଛନ୍ତି ପରିବାର ଲୋକେ। ସଫଳତାର ଶ୍ରେୟ ମା ବାପାଙ୍କୁ ଦେଇଥିବା ବେଳେ ଦିନକୁ ୮ ଘଣ୍ଟା ପାଠପଢାରେ ସମୟ ଦେଉଥିଲେ ଅଶ୍ଵିନୀ।