ଯାଜପୁର: ଶ୍ରାବଣ ମାସର 2ୟ ସୋମବାର । ଏଭଳି ଦିନରେ ଶୂନଶାନ ହୋଇଯାଇଛି ଯାଜପୁରର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିର । କେଉଁଠି ବି ଦିଶୁନି କାଉଡିଆଙ୍କ ଭିଡ । ଦିଶୁନାହିଁ ସେହି ଲମ୍ବା ଧାଡି । ପାହାଡ ପରିବେଷ୍ଟନୀ ଓ ସବୁଜ ବନାନୀର ସୁଶୋଭିତ ପରିବେଶ ମଧ୍ୟରେ ଏହି ପୀଠରେ ପୂଜା ପାଇଥାନ୍ତି ଆଦ୍ୟଦେବ ଗଣେଷଙ୍କ ସହ ମହାଦେବ, ପାର୍ବତୀ, ନାରାୟଣ ଓ ଭାଷ୍କର ଆଦି ପଞ୍ଚଦେବତା । ପ୍ରତିବର୍ଷ ଶ୍ରାବଣ ମାସର ପ୍ରତିଟି ସୋମବାର ଏଠାକୁ ଛୁଟିଥାଏ କାଉଡିଆଙ୍କ ସୁଅ । ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ବୋଲବମ୍ ଭକ୍ତଙ୍କୁ ମନ୍ଦିରକୁ ଆସିବା କିମ୍ବା ଜଳଲାଗି କରିବାକୁ ବାରଣ ହୋଇଛି । ଏହାକୁ ନେଇ ଭକ୍ତଙ୍କ ଠାରୁ ଆରମ୍ଭ କରି ପୂଜକଙ୍କ ଯାଏ ସଭିଙ୍କ ଛାତି ଭିତରେ ଚାପି ହୋଇରହିଛି ଅନେକ ଦୁଃଖ ଓ କୋହ ।
କୋରୋନା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ସୃଷ୍ଟି କରିଛି ଅନ୍ତରାୟ । ଯାହାର ପରିଣାମ ପ୍ରତିଫଳିତ ହୋଇଛି ଯାଜପୁରର ପ୍ରସିଦ୍ଧ ଶୌବପୀଠ ମହାବିନାୟକ ମନ୍ଦିରରେ । ପ୍ରତିବର୍ଷ ଶ୍ରାବଣ ମାସର ପ୍ରତିଟି ସୋମବାର ଏହି ମନ୍ଦିର ହୋଇଉଠେ ଲୋକାରଣ୍ୟ । ହେଲେ ଏବର୍ଷ କୋରୋନା କଟକଣା ଯୋଗୁଁ ଏସବୁ ବ୍ୟତିକ୍ରମ ଘଟିଛି । ମନ୍ଦିରକୁ ବୋଲବମ୍ ଭକ୍ତଙ୍କୁ ପ୍ରବେଶ ମନା । ଫଳରେ ଶ୍ରାବଣ ମାସର 2ୟ ସୋମବାରେ ଏଠାରେ ନଥିଲା କାଉଡିଆଙ୍କ ଭିଡ । ପୂର୍ବ ବର୍ଷଗୁଡିକ ପରି ଦିଶୁନାହିଁ ଗୈରୀକଧାରୀ ହଜାର ହଜାର ସଂଖ୍ୟକ ସେହି କାଉଡିଆ ଭକ୍ତଙ୍କ ଲମ୍ବା ଧାଡି । ଶୂନଶାନ୍ ହୋଇଯାଇଛି ମନ୍ଦିର ପରିବେଶ । ପ୍ରତିବର୍ଷ ଏଠାକୁ ପାଣି ଭାର ଧରି ଜଳାଭିଷେକ କରିବାକୁ ଆସୁଥିବା ମାନସିକଧାରୀ ବୋଲବମ ଭକ୍ତଙ୍କ ମଧ୍ୟରେ ଅଜସ୍ର କୋହ ଓ ଦୁଃଖ । ମନରେ ଅନେକ ଅବଶୋଷ । ପୂଜକ ମାନେ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ । ସେମାନଙ୍କ ମନରେ ବି ଭରିରହିଛି ନୈରାଶ୍ୟତା । ସତରେ କେବେ ଦୂର ହେବ କୋରୋନାର ପ୍ରକୋପ । ଆଉ ତେବେ ଯାଇ ଦୂର ହେବ ଏହି ଭକ୍ତ ଭଗବାନଙ୍କ ମଧ୍ୟରେ ଜାରି ହୋଇଥିବା ବିଚ୍ଛେଦର କଟକଣା ଓ ଭକ୍ତ ମନର ବିରହ ବେଦନା ।