ଯାଜପୁର: ଯାଜପୁର କଳିଙ୍ଗନର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାରେ ଦେଖାଦେଇଛି ଅଚଳାବସ୍ଥା । କାରଖାନା ମୁଖ୍ୟ ପରିଚାଳନା ଦାୟିତ୍ବରେ ଥିବା ଏମଏମଟିସି ପରିଚାଳନାରୁ ଓହରି ଯିବାରୁ ଏଭଳି ପରିସ୍ଥିତି ଉପୁଜିଛି । କିଛିଦିନ ପୂର୍ବେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଓ ଷ୍ଟିଲ ମେଲ୍ଟିଙ୍ଗ ସପକୁ ବନ୍ଦ କରି ଦିଆଯାଇଥିବା ବେଳେ ବର୍ତମାନ କୋକଓଭେନ ଓ ପାୱାର ପ୍ଲାଣ୍ଟ ବନ୍ଦ ହେବାକୁ ଯାଉଛି ।
ଏଭଳି ପରିସ୍ଥିତିରେ କର୍ମଚାରୀ ମାନେ ଦରମା ପାଉନଥିବା ବେଳେ ଅନେକ ଶ୍ରମିକଓ କର୍ମଚାରୀ ସେମାନଙ୍କ ଜୀବିକା ହରାଇବେ । ତେଣୁ ଶ୍ରମିକ ଓ କର୍ମଚାରୀ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାରଖାନାର ପୁନଃରୁଦ୍ଧାର ପାଇଁ ଦାବି କରିଛି କଳିଙ୍ଗନଗର ମଜଦୁର ୟୁନିୟନ ସଂଘ । ଏନେଇ ଆଜି ୟୁନିୟନ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ୟୁନିୟନର ଉପଦେଷ୍ଟା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସମେତ ୟୁନିୟନର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।