ଯାଜପୁର:ସୁକିନ୍ଦାରେ ଯକ୍ଷ୍ମା ମୃତ୍ୟୁ ଘଟଣା । NHRC ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ l ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଅଞ୍ଚଳରେ ଯକ୍ଷ୍ମା ଆତଙ୍କ ଦେଖିବାକୁ ମିଳିଛି । ଗତ 13 ଦିନ ମଧ୍ୟରେ ଅଞ୍ଚଳର 4ଜଣ ବ୍ୟକ୍ତିଙ୍କର ଯକ୍ଷ୍ମା ରୋଗରେ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଜଣେ ମାନବାଧିକାର କର୍ମୀ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରାଯାଇଛି । କେନ୍ଦ୍ର ସରକାର 2024 ସୁଦ୍ଧା ସାରା ଭାରତକୁ 'ଯକ୍ଷ୍ମା ମୁକ୍ତ ଭାରତ' ରୂପେ ଗଢିବା ପାଇଁ ଘୋଷଣା କରିଥିବାବେଳେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି । ଏହା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସେପଟେ କାଳିଆପାଣିରେ ଘଟିଥିବା 4 ବ୍ୟକ୍ତିଙ୍କ ମୃତ୍ୟୁ ଯକ୍ଷ୍ମା ଜନିତ ନୁହେଁ ବୋଲି ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି ।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର ପ୍ରଦୂଷଣ ଯୋଗୁ କାଳିଆପାଣି, ରାସୋଳ ଓ କୁହିକା ଆଦି ଅଞ୍ଚଳରେ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପ୍ରଦୂଷଣ କାରଣରୁ ଗତ 13 ଦିନ ମଧ୍ୟରେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ପ୍ରାୟ 4 ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଇଛି । ଯାହାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଜଣେ ଆଇନଜୀବୀ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ 7 ଦିନ ମଧ୍ୟରେ ଜବାବ ରଖିବାକୁ ତାଗିଦ କରିଛନ୍ତି NHRC ।
ତେବେ କଅଁସ ପଞ୍ଚାୟତ ଅନ୍ତର୍ଗତ କୁମାରଡ଼ିଙ୍ଗା ଗାଁର ସାହେବ ଜାମୁଡା ନାମକ ଜଣେ ବ୍ୟକ୍ତି ଯକ୍ଷ୍ମା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବାବେଳେ ପୂର୍ବରୁ ଗଣେଶ୍ବର ଜାମୁଦା ନାମକ ଜଣେ ବ୍ୟକ୍ତିଙ୍କର ଯକ୍ଷ୍ମାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ସେହିପରି କଂଅସ ପଞ୍ଚାୟତ ଜାଗିରିସାହିର ମହାନ୍ତି ସିଧୁ ଓ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗାର ଶଙ୍କର ମୁଣ୍ଡା, କାଳିଆପାଣି ହନୁମାନ ବଜାର ଅଞ୍ଚଳର ନିରାଶ ମହାକୁଡ଼ଙ୍କ ଜୀବନ ଯାଇଛି । ସେପଟେ କାଳିଆପାଣି ଅଞ୍ଚଳରେ ଖଣି କମ୍ପାନୀ ପକ୍ଷରୁ ପ୍ରଦୂଷଣ ଉପରେ ସ୍ୱତନ୍ତ୍ର ଦୃଷ୍ଟି ନଦେବା ଫଳରେ ଯକ୍ଷ୍ମା ରୋଗ ବଢୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି l