ଯାଜପୁର:ପ୍ରକାଶ ପାଇଛି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦ୍ବାରା ଐତିହାସିକ ରାୟ । ଜଙ୍ଗଲକୁ ଉଦ୍ୟାନରେ ରୂପାନ୍ତର କରିବା ଅଭିଯୋଗରେ ରାଜ୍ୟ ସରକାରଙ୍କ ଉପରେ କୋଟିଏ ଟଙ୍କାର ଜୋରିମାନା ଲଦିଲେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ (NGT) । ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କରିବାର ଅନୁମତି ନଥାଇ ପ୍ରାୟ ୫୫୦ ଏକର ଜମିରେ ହୋଇଥିଲା ବୃହତ ପିଜୁଳି ବଗିଚା । ଉଦ୍ୟାନ କୃଷିର ବିକାଶ ନାଁରେ ଜଙ୍ଗଲ ଜମିର ବିନାଶ କରି ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ଦ୍ବାରା କରାଯାଇଥିଲା ଏଭଳି ବେଆଇନ୍ କାର୍ଯ୍ୟ । ଜିଲ୍ଲା ଖଣିଜ ପାଣ୍ଠିରୁ କୋଟିକୋଟି ଟଙ୍କା ବିନିଯୋଗ କରାଯାଇ ୨ ଲକ୍ଷରୁ ଊର୍ଦ୍ଧ୍ବ ପିଜୁଳି ଚାରା ଲଗାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଖୋଦ୍ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ଏହାର ଶୁଭାରମ୍ଭ କରିଥିଲେ ।
ଉଦ୍ୟାନ ଓ କୃଷି ବିଭାଗ ସମନ୍ବୟରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦାମୋଦରପୁର, ବୋତଲଣ୍ଡା ଓ ମୁଳୁଖମ୍ବ ଆଦି ୩ଟି ମୌଜାରେ ୩୦୦ ଏକର ପାଖାପାଖି ଶାଳ ଜଙ୍ଗଲ ଜମିରେ ଏକ ବୃହତ୍ତ ପିଜୁଳି ବଗିଚା କରାଯାଇଥିବା NGT ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ଏନଜିଟି ନିକଟରେ ଫେରାଦ ହୋଇଥିଲେ ତପନ କୁମାର ବରାଳ ନାମକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ । ଏହାର ରାୟ ପ୍ରକାଶ ପାଇବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଉଦ୍ୟାନ ବିଭାଗର ଯୋଜନା ଅନୁଯାୟୀ ପ୍ରାୟ ୫୫୦ ଏକର ଜମିରେ ୨ ଲକ୍ଷ ପିଜୁଳି ଗଛ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୦ କୋଟି ଟଙ୍କାର ଅର୍ଥରାଶି ମଧ୍ୟ ମଞ୍ଜୁର ହୋଇଥିଲା । ଏହି ପିଜୁଳି ବଗିଚାର ଶୁଭାରମ୍ଭ କରିଥିଲେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ।