ଯାଜପୁର:କେତେ ଦିନ ଆଉ ଜନନୀ ଯନ୍ତ୍ରଣା । ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣରୁ ଜନନୀ ଦୁର୍ଦ୍ଦଶାର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । କେବେ ଆମ୍ବୁଲାନ୍ସ ଅଭାବରୁ ତ କେବେ ଡାକ୍ତରଖାନାରେ ଚିକିତ୍ସା ଅଭାବରୁ, ଅସନ୍ନ ପ୍ରସବା ଏବଂ ନବଜାତକର ମୃତ୍ୟୁ ହେଉଛି । ଯାହା ଏକ ନିତିଦିନିଆ ଖବର ପାଲଟିଗଲାଣି । ତେବେ ଏଭଳି ପୁଣି ଏକ ପୀଡାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଜୋରକୂଳ ଗ୍ରାମର ଦଳିତ ସାହିରେ । ସାହିର ପ୍ରଶାନ୍ତ ମଳିକଙ୍କ ସ୍ତ୍ରୀ ରୀନା ମଳିକଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା ମାତ୍ର ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନବଜାତ ଶିଶୁର ମୃତ୍ୟୁ ହୋଇଛି । ଗାଁକୁ ରାସ୍ତା ନଥିବାର ଅଧା ବାଟରେ ଫସି ରହିଥିଲା ଆମ୍ବୁଲାନ୍ସ । ଫଳରେ ମହିଳାଙ୍କୁ ହିଡ ରାସ୍ତାରେ ନେବା ସମୟରେ ଅଧାବାଟରେ ଶିଶୁକୁ ଜନ୍ମ ଦେଇଥିଲେ ଆଉ ଦୁନିଆ ଦେଖିବା ପୂର୍ବରୁ ଆଖିବୁଜିଥିଲା ନବଜାତକ ।
ନବଜାତର ମୃତ୍ୟୁ ପରେ ମହିଳାଙ୍କୁ ବରୀ-ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଛନ୍ତି । ଏହା ପ୍ରଥମ ଥର ନୁହେଁ ବରଂ ବିଗତ ଦିନରେ ଗାଁର ଏପରି ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି । ସ୍ଥାୟୀ ରାସ୍ତା ନଥିବାରୁ ଅଧାବାଟରେ ବିକାଶ ଓ ସରକାରୀ ସହାୟତା । ଏପଟେ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ନାରୀନେତ୍ରୀ ଜୟନ୍ତୀ ଜେନା । ଏଥିପାଇଁ ସେ ଉଭୟ ସରକାର ଓ ପ୍ରଶାସନର ଉଦାସୀନତାକୁ ଦାୟୀ କରିଛନ୍ତି । ସେପଟେ ଏ ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲିବାକୁ ନାରାଜ୍ ।