ଯାଜପୁର:ଏ ହେଉଛନ୍ତି ମୋନିକା ମାଙ୍କେଡିଆ । ମାଙ୍କେଡିଆ ଜନଜାତିର ପ୍ରଥମ ମାଟ୍ରିକୁଲେଟ୍ ଛାତ୍ରୀ । 2017ରେ ମାଟ୍ରିକ ପାସ କରି ସେ ସାଉଁଟିଥିଲେ ଅନେକ ସୁନାମ । ପ୍ରଶାସନ ଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂଗଠନ ସଭିଙ୍କର ଛୁଟିଥିଲା ସୁଅ । ମିଳିଥିଲା ଅନେକ ପୁରସ୍କାର ଓ ପ୍ରତିଶୃତି । ଯାହା ପରେ ସୁନେଲୀ ଭବିଷ୍ୟତର ସ୍ବପ୍ନ ଦେଖି +2 ବିଜ୍ଞାନ ପଢିବା ପାଇଁ ମନସ୍ଥ କରିଥିଲେ ମୋନିକା । ହେଲେ, ଏବେ ପାଠପଢାରେ ଡୋରୀ ବନ୍ଧା ହେବା ସହ ମଉଳି ଯାଇଛି ତାଙ୍କର ସବୁ ସ୍ବପ୍ନ । ମାଙ୍କେଡିଆ ଜନଜାତିର ଝିଅ ମୋନିକାଙ୍କୁ ପାଠ ପଢି ଜୀବନରେ ଆଗକୁ ବଢିବାକୁ ସରକାର ଯୋଗାଇ ଦେଇଥିଲେ ସମସ୍ତ ପ୍ରକାର ସହାୟତା । କିନ୍ତୁ ସେ ଆର୍ଥିକ ସହାୟତାର ଟଙ୍କା ତାଙ୍କ ପାଖରେ ବେଶୀ ଦିନ ରହିନଥିଲା । ସମୟ ଏମିତି ଆସିଥିଲା ଯେ ମୁଖ୍ୟମନ୍ତ୍ରୀ ଦେଇଥିବା ଟ୍ୟାବରେ ଇଣ୍ଟରନେଟ ପାଇଁ ବି ତାଙ୍କ ପାଖରେ ନଥିଲା ସମ୍ବଳ ।
ଅନ୍ଧାରରେ ମାଙ୍କେଡିଆ ଜନଜାତିର ପ୍ରଥମ ମାଟ୍ରିକପାସ ଛାତ୍ରୀ ମୋନିକାଙ୍କ ଭବିଷ୍ୟତ - tribal girl monika mankedia
ମାଙ୍କେଡିଆ ଜନଜାତିର ପ୍ରଥମ ଛାତ୍ରୀ ଭାବେ ମ୍ୟାଟ୍ରିକ୍ ପାସ୍ କରିଥିବା ମୋନିକାଙ୍କୁ ସରକାରଙ୍କ ଅବହେଳା । ପାଠପଢାରେ ବନ୍ଧା ହୋଇ ଯାଇଛି ଡୋରୀ । ଶିକ୍ଷା କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ସୁଯୋଗ ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବି ମହଲରେ ଦାବି । ଅଧିକ ପଢନ୍ତୁ....
ମାଙ୍କେଡିଆ ଛାତ୍ରୀଙ୍କୁ ସରକାରଙ୍କ ଅବହେଳା
ଏହାଛଡା +2 ବିଜ୍ଞାନ ପଢିବା ବେଳେ ନା ମିଳିଥିଲା ପୁସ୍ତକ ନାଁ ମିଳିଲା ଉପଯୁକ୍ତ କୋଚିଂ । ଯାହାଦ୍ବାରା ଫେଲ ହୋଇଗଲେ ପ୍ରଶଂସା ସାଉଁଟିଥିବା ମୋନିକା । ପାଠପଢାର ସ୍ବପ୍ନ ଧୂଳିସାତ ହୋଇଯିବାରୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି ମୋନିକା । ଆଡଆଖିରେ ଚାହୁଁ ନାହାଁନ୍ତି ପ୍ରତିଶୃତିର ପାହାଡ ଲଦିଥିବା ସରକାର ତଥା ସ୍ବେଚ୍ଛାସେବୀ ସଂଗଠନ । ଏନେଇ ତାଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ସୁଯୋଗ ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ