ଯାଜପୁର: ପୁଣି ଚର୍ଚ୍ଚାରେ ନଗଡା । ଓଡିଶାର ଭୋକର ଭୂଗୋଳ କୁହାଯାଉଥିବା ନଗଡାରୁ ସାମ୍ନାକୁ ଆସିଲା ଦୁର୍ଦ୍ଦଶାର ଆଉ ଏକ କରୁଣ ଚିତ୍ର । ଚାଉଳ ପାଇଁ ୨୦ କିଲୋମିଟର ଚାଲିଲେ ନଗଡା ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ପ୍ରତିବଦଳରେ ମିଳୁଥିବା ଚାଉଳ ପାଇଁ ଏଠିକାର ଛାତ୍ରଛାତ୍ରୀଙ୍କୁ ପାହାଡ ଜଙ୍ଗଲ ଅତିକ୍ରମ କରି ଦୀର୍ଘ ୨୦ କିଲୋମଟର ଚାଲିବାକୁ ହେଉଛି । ନଗଡାଠାରୁ ୧୦ କିଲୋମିଟର ଦୂର ସାତକୁଲିଆ ପାହାଡ ତଳେ ଥିବା ଦେଓଗାଁ ପ୍ରାଥମିକ ସ୍କୁଲରୁ ପିଲାମାନେ ଗତକାଲି(ଗୁରୁବାର) ମୁଣ୍ଡରେ ଚାଉଳ ବୋହି ଗାଁକୁ ଫେରୁଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି ।
କୋରୋନା ସମୟରେ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇନଥିଲା । ତା' ପ୍ରତିବଦଳରେ ସେମାନଙ୍କୁ ଚାଉଳ ଦିଆଯାଉଛି । ତେଣୁ ନଗଡା ଅଞ୍ଚଳର ପିଲାମାନେ ପାହାଡ଼ ତଳକୁ 10 କିଲୋମିଟର ଚାଲି ଚାଲି ଆସି ଚାଉଳ ନେଇ ପୁଣି 10 କିଲୋମିଟର ଉପର ଗାଁକୁ ଯାଉଛନ୍ତି । ଏପରିକି ସେମାନଙ୍କ ଗୋଡରେ ଜୋତା ନଥିବା ମଧ୍ୟ ଦେଖାଯାଇଛି ।