ଯାଜପୁର: ଜିଲ୍ଲା ବ୍ୟାସନଗର ସହରାଞ୍ଚଳରୁ ଆଜି(ବୁଧବାର) ଜଣେ ଅବହେଳିତ ବର୍ଗର ଶିଶୁକନ୍ୟାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ, ଶିଶୁ ସୁରକ୍ଷା ୟୁନିଟ ଶିଶୁଟିକୁ ତାର ମାଆ ଠାରୁ ଆଣି ଶିଶୁ ପରିଚର୍ଯ୍ୟା ଗୃହରେ ଥଇଥାନ କରାଯାଇଛି ।
ଗରିବୀ ବୋଝ; ଝିଅକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଦେଲା ମା' ସୂଚନା ମୁତାବକ ପାର୍ବତୀ ମୁଣ୍ଡା ନାମକ ଜଣେ ସ୍ବାମୀ ପରିତ୍ୟକ୍ତା ଆଦିବାସୀ ମହିଳା ବ୍ୟାସନଗର ସହରାଞ୍ଚଳର ଆଦିବାସୀ ବସ୍ତିରେ ବାସ କରନ୍ତି । ପାର୍ବତୀଙ୍କର 4ଟି ଝିଅ ଓ ଗୋଟିଏ ପୁଅ । ତେବେ ସ୍ବାମୀ ତାଙ୍କୁ ଛାଡି ପଳାଇବା ପରେ ପାର୍ବତୀ ନିଜର 5ଟି ଶିଶୁଙ୍କୁ ନେଇ ସେମାନଙ୍କ ରକ୍ଷଣାବେକ୍ଷଣ ଓ ପ୍ରତିପୋଷଣ କରିବା ସମ୍ଭବ ହେଲାନାହିଁ । ସ୍ବାମୀଙ୍କର କୌଣସି ଖୋଜ ଖବର ମିଳୁନଥିବା ବେଳେ ଏହି ଶିଶୁ ମାନଙ୍କର ଯତ୍ନ ନେବା ପାର୍ବତୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଲା ।
ଫଳରେ ଏହି 5ଟି ଶିଶୁ ମଧ୍ୟରୁ ଗୋଟିଏ ଶିଶୁ କନ୍ୟାକୁ ସେ ସରକାରଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଲେ । ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ସ୍ବେଚ୍ଛାସେବୀଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଅବଗତ କରିଥିଲେ । ଏହାପରେ ୟୁନିଟର ଟିମ ସେଠାରେ ପହଞ୍ଚି ଶିଶୁଟିକୁ ଆଣି ଶିଶୁ ପରିଚର୍ଯ୍ୟା ଗୃହରେ ରଖାଯାଇଛି । ପ୍ରଥମେ ଯାଜପୁର ଚିକିତ୍ସାଳୟରେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯାଇ ପରେ ତାର ସମସ୍ତ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ କର୍ମଚାରୀ କହିଛନ୍ତି । ତେବେ ଶିଶୁର ଯତ୍ନ ଓ ଲାଳନ ପାଳନ ଦାୟିତ୍ବ ସରକାର ନିଅନ୍ତୁ ବୋଲି ଶିଶୁର ମା ନିବେଦନ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ