ଯାଜପୁର: ଦିନ ଦ୍ବିପ୍ରହରରେ ମଝି ଗାଁ ଦାଣ୍ଡରେ ଝିଅଟିକୁ ଟାଣି ଘୋଷାରି ମାଡ ମାରୁଛନ୍ତି କିଛି ଲୋକ । ବନ୍ଧୁ ଚଳନୀ ବା ଗୁଆଦିଆ ଘଟଣାକୁ ନେଇ ଘଟିଛି ଏପରି ଅଭାବନୀୟ ଘଟଣା । ପୂର୍ବରୁ ମଧ୍ୟ ଦୁଇ ପରିବାର ମଧ୍ୟରେ ଲାଗିଥିଲା ବିବାଦ । ଏବେ ଏକ ବିବାହ କାର୍ଯ୍ୟ ପାଇଁ ଗୁଆ ଦିଆନିଆ ହେବାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳର ପୁନରାବୃତ୍ତି ହୋଇଛି । କଳି ଝଗଡା ସମୟରେ ଗୋଟିଏ ପରିବାରର ଜଣେ ଝିଅକୁ ରାସ୍ତାରେ ଟଣା ଘୋଷରା କରି ମାଡ ମାରିଥିଲେ ଅପରପକ୍ଷର ଲୋକମାନେ । ଆଉ ଏହା ପରେ ହିଁ ଏହି ଭିଡିଓ ଭାଇରାଲ ହୋଇଥିଲା । ଘଟଣା ଘଟିଛି ଯାଜପୁର ଜିଲ୍ଲାର ଯଖପୁରା ଥାନା ଅଞ୍ଚଳରେ ।
ବାହାଘର ଭୋଜି ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହି ଗଣ୍ଡଗୋଳ ଘଟିଥିଲା । ଅପରପକ୍ଷ ଲୋକଙ୍କ କହିବା କଥା ଉଭୟ ପରିବାରଙ୍କ ମଧ୍ୟରେ ବନ୍ଧୁ ସମ୍ପର୍କ ଥିଲା । ମଝିରେ କିଛି କଥା ନେଇ ଉଭୟ ପରିବାର ମଧ୍ୟରେ କଳିଝଗଡା ହୋଇଥିଲା । ଏହା ପୂର୍ବରୁ ସେମାନେ ଏମାନଙ୍କ ଘରକୁ ଗୁଆ ଦେଇଥିଲେ । ଅପରପକ୍ଷଙ୍କର ଏକ ବିବାହ ଘର ଚାଲିଥିବାରୁ ସେମାନେ ଏବେ ବନ୍ଧୁ ଚଳାଇବାକୁ ଗୁଆ ଦେବାକୁ ପ୍ରଥମେ ସେମାନେ ଘର ପଶି ଗଣ୍ଡଗୋଳ କରିବା ସହିତ ବିବାହ ଉତ୍ସବରେ ପ୍ରତିବନ୍ଧକ ସାଜିଥିଲେ । ଯାହାକୁ ନେଇ ଅପରପକ୍ଷ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ । ଯେଉଁ ଝିଅ ପାଇଁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ତାକୁ ସେମାନେ ଟଣାଝିଙ୍କା କରିଥିଲେ । ତେବେ ଭିଡିଓ ଭାଇରାଲ ହେବା ପରେ ଯଖପୁରା ପୋଲିସ୍ ଘଟଣାରେ ହସ୍ତକ୍ଷେପ କରିଛି । ପୋଲିସ୍ ଦୁଇଟି ପରସ୍ପର ବିରୋଧି ମାମଲା ରୁଜୁ କରିବା ସହ ଭାଇରାଲ ଭିଡିଓକୁ ଆଧାର କରି ଦୁଇଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।