ଯାଜପୁର: ମନୁଷ୍ୟକୁ ଦୁର୍ବଳ କରିଦିଏ ମାନସିକ ଦୁଶ୍ଚିନ୍ତା । ଅନେକ ସମୟରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇ ଲୋକ ଜୀବନ ମଧ୍ୟ ହାରୁଛନ୍ତି । ମାନସିକ ରୋଗରୁ ମୁକ୍ତି ପାଇଁ ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଏହି ଅବସରରେ ରୋଟାରୀ କ୍ଲବ ଓ ରୋଟାରାକ୍ଟ ପକ୍ଷରୁ ବ୍ୟାସନଗରର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସଚେତନା କାର୍ଯ୍ୟକ୍ରମ ସହ ପ୍ରାୟ 1ଲକ୍ଷ ବର୍ଗ ଫୁଟର ବିଶାଳ ରିବନ୍ ତିଆରି ହୋଇଥିଲା ।
ସାରା ବିଶ୍ୱରେ ଏବେ ଅନେକ ଲୋକ ମାନସିକ ବିକୃତ କିମ୍ବା ମାନସିକ ଚାପର ଶିକାର ହୋଇ ଆତ୍ମହତ୍ୟା କରିବା ଭଳି ଘଟଣା ବୃଦ୍ଧି ହେବାରେ ଲାଗିଛି । ଏହାକୁ ରୋକିବା ଉଦ୍ଦେଶ୍ୟରେ ଏପରି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶନିବାର ଜିଆରଆରଏସ୍ ପକ୍ଷରୁ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମ ପଡିଆରେ ଆୟୋଜିତ ହୋଇଥିଲା ଏକ ବିଶାଳ ଶୃଙ୍ଖଳ । ଏହାକୁ ଅଧିକ ଲୋକପ୍ରିୟ ଓ ଏହାର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ରୋଟାରାକ୍ଟ କ୍ଲବ ଓ ରୋଟାରୀ କ୍ଲବ ଯାଜପୁର ରୋଡ ମିଳିତ ଆନୁକୂଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ବ୍ୟାସନଗର ପୌରାଞ୍ଚଳର ବିଭିନ୍ନ ସ୍କୁଲର ପ୍ରାୟ ଅଢେଇ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ଗ୍ଲୋବାଲ ରେକର୍ଡସ୍ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ଏବଂ ଏସିଆନ୍ ବୁକ ଅଫ୍ ପ୍ୟାସିଫିକ୍ ରେକର୍ଡ୍ସରେ ସ୍ଥାନ ପାଇଥିବା ଜଣାପଡିଛି । ଏହି ରେକର୍ଡ ହାସଲ ପରେ ଯାଜପୁରରେ ଖୁସିର ଲହରୀ ଖେଳିଯାଇଛି ।