ଯାଜପୁର: ନିହାତି ଏକ ଗରିବ ଆଦିବାସୀ ପରିବାର। ଘରେ ଚୁଲି ନାହିଁ କି ଚାଳ ନାହିଁ। ଘରରେ ଭେଣ୍ଡିଆ ପୁଅକୁ ଏବେ କ୍ୟାନସର ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ବାପା ତେଣେ ଯକ୍ଷ୍ମା ରୋଗର ପିଡ଼ିତ ହୋଇ ଘରୁ ଗୋଡ଼ କାଢ଼ିବାକୁ ଅସମର୍ଥ। ଏଭଳି ସ୍ଥିତିରେ ଘରେ ଚୁଲି ଜଳିବା ବି କଷ୍ଟକର ହୋଇପଡିଛି। ଯେତେବେଳେ ନିଜ ସ୍ଵାମୀ ଓ ପୁଅ ଘରେ ରୋଗରେ ପଡ଼ି ଛଟପଟ ହେଉଛନ୍ତି ସେତେବେଳେ ମା ବା କେମିତି ଧର୍ଯ୍ୟ ଧରିବ! ସେମାନେ କିପରି ସୁସ୍ଥ ହେବେ ତାହା ହିଁ ମା ପାଇଁ ଚିନ୍ତାର ବିଷୟ ସାଜିଛି। ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ୟାସନାଗର ପୋୖରାଞ୍ଚଳ ଅନ୍ତର୍ଗତ ଆଦିବାସୀ ପ୍ଲଟ ଅଞ୍ଚଳର ଆଦିବାସୀ ଯୁବକ ବଣ୍ଟି ମୁଣ୍ଡେୟାଙ୍କ କଥା।
ଏହି ବସ୍ତିରେ ବାସ କରନ୍ତି ବଣ୍ଟି ମୁଣ୍ଡେୟାଙ୍କ ପରିବାର। ବଣ୍ଟି ଛୋଟ ମୋଟ ଇଲେକ୍ଟ୍ରି ମରାମତି କାମ କରି ପରିବାର ଚଳାଉଥିଲା। ବର୍ଷକ ତଳେ ହଠାତ ବଣ୍ଟ ଇଲେକ୍ଟ୍ରି ଖୁଣ୍ଟରୁ ପଡିଯିବା ପରେ ତାର ବାମ ଗୋଡ଼ଟି ଅଚଳ ହୋଇଯାଇଥିଲା। ଚିକିତ୍ସା ଅଭାବରୁ ଗୋଡ଼ଟି ଫୁଲିବାକୁ ଲାଗିଲା। ଚିକିତ୍ସା ଅଭାବରୁ ଏହା ଧୀରେ ଧୀରେ କ୍ୟାନ୍ସର ଆଡ଼କୁ ଗତିକଲା। ଏବେ ସେ ଶଯ୍ୟାଶାୟୀ । ସେପଟେ ବଣ୍ଟିଙ୍କ ବାପା ମଧ୍ୟ ଯକ୍ଷ୍ମା ଏବଂ ଟିୟୁମର ଦୁଇ ଦୁଇଟି ରୋଗରେ ପିଡ଼ିତ। ବିଶେଷ କରି ବଣ୍ଟିଙ୍କ ମା ଏବେ ନିରୁପାୟ । ଏଭଳି ସ୍ଥିତିରେ ଡାକ୍ତର ଏବେ ବଣ୍ଟିର ଏହି ଗୋଡ଼ଟିକୁ କାଟିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ନିରୁମାୟ ମା ଟି ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ଅସମର୍ଥ ପାଲଟିଛନ୍ତି । ଏପରି ସ୍ଥିତିରେ ନିଜ ଗୋଡ଼ଟି କାଟିବା ପାଇଁ ସରକାରଙ୍କୁ ସହାୟତାର ହାତ ପାତିଛନ୍ତି ବଣ୍ଟି ଓ ତାଙ୍କ ପରିବାର ।