ଯାଜପୁର: ପଥପାର୍ଶ୍ବ ବନୀକରଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଅନେକ ସ୍ଥାନରେ କେବଳ କାଗଜପତ୍ରରେ ବନୀକରଣ କରାଯାଇଥିବା ଦେଖିବାକୁ ମିଳିଛି । ମାତ୍ର ଏବେ ଏହା ଧରାପଡିବା ଭୟରେ ତରବରିଆ ଭାବେ ଚାଲିଛି ଗଛଲଗା ଅଭିଯାନ । ଯାଜପୁର ବିଂଝାରପୁର ବ୍ଲକ୍ ଅଞ୍ଚଳରେ ବନୀକରଣ ଏବଂ ରକ୍ଷଣାବେକ୍ଷଣ ବାବଦକୁ ଦେଢ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ କେବଳ କାଗଜପତ୍ରରେ ଚାଲିଛି ବନୀକରଣ ପ୍ରକ୍ରିୟା ।
ପ୍ରାୟ 1କିମି ରାସ୍ତାର ଉଭୟ ପାର୍ଶ୍ବରେ 2ହଜାର ଚାରା ରୋପଣ କରିବା ପାଇଁ 6ଲକ୍ଷ 78ହଜାର ଟଙ୍କା ବ୍ୟୟବରାଦ କରାଯାଇ ଥିବାବେଳେ ଗତବର୍ଷ 2ହଜାର ଚାରା ରୋପଣର ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ 4ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଉଛି । ମାତ୍ର ଯାହା ବାସ୍ତବ ନୁହେଁ କେବଳ କାଗତପତ୍ରରେ ସୀମିତ ରହିଛି । ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର ଜିଲ୍ଲାର 5ଟି ବ୍ଲକରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ଦ୍ବାରା ଚଳିତବର୍ଷ ରାସ୍ତା ଦୁଇ ପାର୍ଶ୍ବରେ 15କିମି ରାସ୍ତାରେ ନୂତନ ବନୀକରଣ ହୋଇଥିବାବେଳେ ଗତବର୍ଷ ଲଗାଯାଇଥିଲା ଆଉ 15କିମି ରାସ୍ତାର ରକ୍ଷଣାବେକ୍ଷଣ କରାଯାଇଛି । ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ହେଲେ ଗଛର ନା ଗନ୍ଧ ନାହିଁ ।
ବିଂଝାରପୁର ବ୍ଲକର ଟୁବିପଡିଆରୁ ବଳଭଦ୍ରପୁର ରାସ୍ତାରେ 1କିମି ରାସ୍ତାରେ 2ହଜାର ଗଛ ଲଗାଇ ବନୀକରଣ ପାଇଁ ମନରେଗା ଅନୁଦାନରୁ 6ଲକ୍ଷ 78ହଜାର ଟଙ୍କା ବ୍ୟୟ କରାଯାଉଥିବା ବେଳେ 2ୟ ବର୍ଷ ରକ୍ଷଣାବେକ୍ଷଣ ବାବଦରେ ଆଉ ଅତିରିକ୍ତ 1କିମି ରାସ୍ତାକୁ 4ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । 10ଲକ୍ଷ ପରେ ଟଙ୍କା ଖର୍ଚ୍ଚ ହେଲାଣି କିନ୍ତୁ ଗଛ ବଢୁନି ବରଂ ଏହା ମାଟିରେ ମିଶୁଛି । ଯାର ମୁକସାକ୍ଷୀ ହେଉଛନ୍ତି ଏଠାରେ ବନୀକରଣ ଓ ରକ୍ଷଣାବେକ୍ଷଣରେ ନିୟୋଜିତ ଜଗୁଆଳି ଓ ଦିନ ମଜୁରିଆ । ଧରାପଡିବା ଭୟରେ ତରବରିଆ ଭାବେ ଅଦିନରେ ଚାଲିଛି ଗଛ ଲଗା ଅଭିଯାନ । ଗଛକୁ ପାଣି ଟୋପେ ମିଳିବାର ସମ୍ଭାବନା ନଥିବା ବେଳେ ଏହା କେମିତି ବଞ୍ଚିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।