ଯାଜପୁର:ପୋଲିସ କର୍ମଚାରୀଙ୍କ ମାଡରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଅଳତିରି ଗ୍ରାମର ସୁକୁରା ମୁଣ୍ଡା ପୋଲିସ ମାଡରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । କଟକ ଓଏସପିରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ବାପି ସିଂଙ୍କ ବିରୋଧରେ ଏହି ହତ୍ୟା ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ସୁକୁରା ମୁଣ୍ଡାଙ୍କ ପୁତୁରା ଚଗୁଲୁ ମୁଣ୍ଡା କନେଷ୍ଟବଳ ବାପି ସିଂଙ୍କ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ । ବାପି ଦରମା ଦେବାରେ ଅବହେଳା କରିବାରୁ ଚୁଗୁଲୁ ଟ୍ରାକ୍ଟର ଚଳାଇବାକୁ ମନା କରିଦେଇଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ବାପି ସିଂ ସେଠାରେ ଉପସ୍ଥିତ ଥିବା ସୁକୁରାଙ୍କ ଛାତି ଓ ମୁଣ୍ଡକୁ କାଠ ବେଣ୍ଟ ଏବଂ ବାଡିରେ ପିଟିଥିଲେ । ଗୁରୁତର ଅବସ୍ଥାରେ ସୁକୁରାଙ୍କୁ ପ୍ରଥମେ ଯାଜପୁର ମେଡ଼ିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନ ପରେ ତାଙ୍କର କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଥିଲା ।