ଯାଜପୁର: କୋରୋନା ପାଇଁ ଚାରିଆଡେ କଡା କଟକଣା । ଲକଡାଉନ୍ ଯୋଗୁଁ ବାହାରକୁ ବାହାରିବା ମନା । ହେଲେ ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ । ଯାଜପୁର ବ୍ୟାସନଗର ସହରର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ଷ୍ଟେସନ ବଜାର ଓ ବସଷ୍ଟାଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏମିତି କିଛି ଅଭାବନୀୟ ଦୃଶ୍ୟ । ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଛନ୍ତି 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ ପୁରୁଷ-ମହିଳା । କଟକଣା ଯୋଗୁଁ କେଉଁଆଡେ ଯାଆଆସ କରିନପାରି ଫୁଟପାଥରେ କିମ୍ବା ଦୋକାନ ବାରଣ୍ଡାରେ ଦୀର୍ଘ 4ଦିନ ଧରି ଭୋକଉପାସରେ ପଡିରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କିଛି ଭିକ୍ଷୁକ, କିଛି ଦିନ ମଜୁରିଆ ଓ ଆଉ କିଛି ମାନସିକ ବିକୃତ ମଣିଷ । ତେବେ କୋରୋନା ଭୟ ବି ଏମାନଙ୍କୁ ଗ୍ରାସ କରିଛି । ହେଲେ ଏମାନଙ୍କ ଉପରେ ନଜର ପଡୁନି ପ୍ରଶାସନର ।
ଯାଜପୁର ରୋଡ ବା ବ୍ୟାସନଗର ସହରର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ଷ୍ଟେସନବଜାର ଓ ବସଷ୍ଟାଣ୍ଡ ଇଲାକା । କୋରୋନା ପାଇଁ ଚାରିଆଡେ କଡା କଟକଣା ଲାଗୁ ହୋଇଥିବା ବେଳେ କିଭଳି ଅସ୍ବାସ୍ଥ୍ୟକର ପରିବେଶରେ ଏଣେ ତେଣେ ହୋଇ ପଡିରହିଛନ୍ତି 60ରୁ ଉର୍ଦ୍ଧ ଅସହାୟ ଓ ନିରାଶ୍ରୟ । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି କିଛି ଭିକାରୀ, ଦିନ ମଜୁରିଆ ଓ ମାନସିକ ବିକୃତ ମଣିଷ । ପ୍ରାୟ ଅଧିକାଂଶଙ୍କର ନିର୍ଦ୍ଧିଷ୍ଟ ଠିକଣା ବି ନାହିଁ । କଡା କଟକଣା ଯୋଗୁଁ ଏମାନେ କେଉଁଆଡେ ବି ଯିବାଆସିବା କରିପାରୁନାହାନ୍ତି । ଗାଡିଘୋଡା ବନ୍ଦ ତା ସହିତ ହୋଟେଲ୍ ଓ ଦୋକାନ ବଜାର ବି ବନ୍ଦ । ଫଳରେ ଏମାନଙ୍କୁ ଖାଇବାକୁ ଗଣ୍ଡେ ବି ମିଳୁନି । ଫୁଟପାଥ କଡରେ କିମ୍ବା ଦୋକାନ ବାରଣ୍ଡାରେ ଅତି ଦୁର୍ବିସହ ଜୀବନ ବିତାଉଛନ୍ତି ଏହି ଅସହାୟ ନିରାଶ୍ରୟ ମଣିଷ । କୋରୋନା ପାଇଁ ଚାରିଆଡେ ଲକଡାଉନ ହୋଇଥିବା ବେଳେ ଏମାନଙ୍କୁ ପାଣି ମୁନ୍ଦାଏ ବି ମିଳିବା କଷ୍ଟକର ହୋଇପଡିଛି ।