ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଛି 18 ବର୍ଷ । ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ କେନ୍ଦ୍ରକରି ଗତ 2006 ଜାନୁଆରୀ 2 ତାରିଖରେ ଘଟିଥିଲା ଗୁଳିକାଣ୍ଡ । ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ 14 ଜଣ ଆଦିବାସୀ । ଏହି ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପ୍ରତିବର୍ଷ ଏହି ଦିନ ପାଳିତ ହେଉଛି ସହିଦ ସ୍ମୃତି ଦିବସ । ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲ ସ୍ମୃତିସ୍ତମ୍ଭ ମାୟାମଲିଙ୍ଗରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ସମାଧୀସ୍ଥଳ ଆମ୍ଭଗଡିଆର ବୀରଭୂମିରେ ପହଞ୍ଚିବା ପରେ ସେଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।
2006 ଜାନୁଆରୀ 2ରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଘଟିଥିଲା ଗୁଳିକାଣ୍ଡ । ସେହିଦିନକୁ ମନେ ରଖିବା ପାଇଁ ଆଜି ଆଦିବାସୀମାନେ ପାଳିଛନ୍ତି ସହିଦ ସ୍ମୃତି ଦିବସ । ପ୍ରତିବର୍ଷ ଭଳି ଆଜି ଆଦିବାସୀ ମାନେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ସ୍ମୃତିସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀମାନେ ଏକତ୍ରିତ ହୋଇ ସମାଧୀସ୍ଥଳ ବୀରଭୂମି ଅଭିମୁଖେ ଏକ ବିରାଟ ଶୋଭଯାତ୍ରାରେ ବାହାରିଥିଲେ । କମ୍ପାନୀ ଓ ସରକାର ବିରୋଧୀ ନାରାରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା । ସେପଟେ 18 ବର୍ଷ ତଳେ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏଥିରେ କାହାରିକୁ ଦୋଷୀ କରାଯାଇ ନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଦିବାସୀ ଓ ମୃତକଙ୍କ ପରିବାର । ଏହା ସହିତ ଗୁଳିକାଣ୍ଡ ଦିନରୁ ମୃତକମାନଙ୍କ କଟା ଯାଇଥିବା ହାତ ପାପୁଲିର ଡିଏନ୍ଏ ଟେଷ୍ଟ କରା ଯାଇନଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପରିବାର ବର୍ଗଙ୍କୁ ଫେରାଇ ପାରିନାହାନ୍ତି ସରକାର । ଏଥିପାଇଁ ଆଜି ବି କ୍ଷୋଭ ପ୍ରକାଶ କରିଛନ୍ତି ବିସ୍ଥାପିତ ପରିବାର ସଦସ୍ୟ ।