ଯାଜପୁର: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିଭିନ୍ନ ପଞ୍ଚାୟତର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି । ଏହା ପରଠୁ ରାଜନୈତିକ ପାଣିପାଗରେ ଉଷ୍ଣତା ଦେଖିବାକୁ ମିଳିଛି । ଏବେ ହେଉଛି ପ୍ରାର୍ଥୀ ମାନଙ୍କ ଭାଗ୍ୟପରୀକ୍ଷାର ବେଳ । ପ୍ରାର୍ଥୀମାନେ ନିଜ ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ସେପଟେ କର୍ମୀମାନେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଜନମତକୁ ଆପଣାଇବାର ଚେଷ୍ଟା ଚଳାଇଛନ୍ତି । ଭଲ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ରହିଥିବା ବେଳେ ଲୋକଙ୍କ ସମସ୍ୟାକୁ ପ୍ରସଙ୍ଗ କରି ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି ।
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତରେ ପ୍ରାର୍ଥୀମାନେ ଚଳାଇଛନ୍ତି ନିର୍ବାଚନୀ ପ୍ରଚାର । ଏହି ପଞ୍ଚାୟତରେ ରହିଛି ଡାକ୍ତରଖାନା, ସ୍କୁଲ ଓ ପାର୍କ ଅନେକ ସରକାରୀ ସଂସ୍ଥା ଓ ପ୍ରକଳ୍ପ । ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ଓ ଗମନାଗମନ କ୍ଷେତ୍ରରେ ଅନେକ କିଛି କାର୍ଯ୍ୟ ଅଧୁରା ରହିଛି । ଆଗାମୀ ନିର୍ବାଚନ ପାଇଁ ଉଭୟ ସରପଞ୍ଚ ଓ ସମିତିସଭ୍ୟ ପଦ ଅଣସଂରକ୍ଷିତ ପୁରୁଷ ଥିବା ବେଳେ ଗତଥର ସରପଞ୍ଚ ଓ ସମିତିସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ପ୍ରଞ୍ଚାୟତ ପ୍ରତିନିଧିରେ ଦେଖନ୍ତୁ ସେହି ଲକ୍ଷ୍ମୀନଗର ପଞ୍ଚାୟତର ରାଜନୀତି ହାଲଚାଲ ।
ଯାଜପୁର ରସୁଲପୁର ବ୍ଲକର ଲକ୍ଷ୍ମୀନଗର ଗ୍ରାମପଞ୍ଚାୟତ । ଯାହାକି କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ଏହି ପଞ୍ଚାୟତର ରହିଛି 17ଗୋଟି ୱାର୍ଡ ଏବଂ ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ 7 ହଜାରରୁ ଊର୍ଦ୍ଧ୍ବ ଥିବା ବେଳେ ଏଠାରେ 4998 ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏହି ପଞ୍ଚାୟତରେ ଲକ୍ଷ୍ମୀନଗର, ରାଧାନଗର, କୃଷ୍ଣନଗର, କୃଷ୍ଣନଗର ପଟଣା, ବାଲିଆପଶି, ଭିକିପୁର ଓ ତରାପୁର ଆଦି 7ଟି ରାଜସ୍ବ ଗ୍ରାମ ଅନ୍ତର୍ଭୁକ୍ତ ଅଛି ।
ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ମାନଙ୍କୁ ଦଳୀୟ ସମର୍ଥନ ଦିଆଯାଇଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ଭିତରେ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରଚାର ପ୍ରତିଯୋଗିତା । ପାର୍କ, ଡାକ୍ତରଖାନା, ସ୍କୁଲ ଓ ଆଦର୍ଶ ପୋଖରୀ ଭଳି ବିଭିନ୍ନ ପ୍ରକଳ୍ପ ନିର୍ମାଣ ହୋଇଛି ସତ ଏବେ ବି ଏହି ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳ କ୍ଷେତ୍ରରେ ଅନେକ କିଛି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ବିଭିନ୍ନ ଗାଁରେ ପାନୀୟ ଜଳ ମଧ୍ୟ ଆଉ ଏକ ବଡ ସମସ୍ୟା ମୁଣ୍ଡ ଟେକିଛି ।