ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶ୍ରମିକମାନେ 13 ଦଫା ଦାବି ନେଇ ପ୍ରତିବାଦ ସଭା କରାଯିବା ସହ ଗଣଧାରଣା ଦିଆଯାଇଛି ।
ଯାଜପୁର ଜିଲ୍ଲା ଅଣ ସଂଗଠିତ ଶ୍ରମିକ ସଂଗଠନର ସମନ୍ବୟ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଦୀର୍ଘଦିନ ହେବ ବନ୍ଦ ରହିଥିବା ବେଳେ ଏହାକୁ ତୁରନ୍ତ ଆରମ୍ଭ କରାଯିବା, ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା, ଯଥା ସାଇକେଲ, ଯନ୍ତ୍ରପାତି, ମୃତ୍ୟୁଜନିତ, ବିବାହ, ଶିକ୍ଷାବୃତ୍ତି, ପ୍ରସୂତି କାଳୀନ ଓ ନିର୍ମାଣ ଶ୍ରମିକ ପକ୍କାଘର ଆଦି ସହାୟତା ତୁରନ୍ତ ପ୍ରଦାନ କରାଯିବା । ଏହା ସହ ଶ୍ରମ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ୫-ଟି ଲାଗୁ କରାଯିବା, ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କିନ୍ନର ଓ ମହିଳାଙ୍କୁ ଅଣସଂଗଠିତ ଶ୍ରମିକ ଭାବେ ପଞ୍ଜିକରଣ କରାଯିବା, ଶ୍ରମ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକ ଓ ଶ୍ରମିକ ନେତା ମାନଙ୍କୁ ଅପେକ୍ଷା ଗୃହ ଯୋଗାଇ ଦେବା ଆଦି ୧୩ ଗୋଟି ଦାବି ସ୍ଥାନ ପାଇଛି ।