ଯାଜପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ । ଜଣେ ଦିନ ମଜୁରିଆର ପୁଅ ଆଜି ଅନ୍ତର୍ଜାତୀୟ କିକ୍ ବକ୍ସିଂରେ ଭାଗ ନେବାକୁ ଯାଇଛି । ଆମେ କହୁଛୁ ଯାଜପୁର ଜିଲ୍ଲା ଖୋସାଲପୁର ଗାଁର ପ୍ରୀତି ରଞ୍ଜନଙ୍କ କଥା । ସ୍ବପ୍ନ ଦେଖିବାର ଅଧିକାର ତ ସମସ୍ତଙ୍କର ଥାଏ । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ତାକୁ ସାକାର କରିବାର ଦମ୍ଭ କମ ଲୋକଙ୍କ ପାଖରେ ଥାଏ । ପ୍ରୀତି ରଞ୍ଜନ ସେମାନଙ୍କ ମଧ୍ୟରୁ ଜଣେ ।
ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ପ୍ରୀତି ରଞ୍ଜନ ନିଜର ପାଠପଢା ସହିତ କିକ୍ ବକ୍ସିଂ କରିବାକୁ ମନ ବଳାଇଥିଲେ । ବାପା ମା’ ମଧ୍ୟ ଏଥିରେ ତାଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଥିଲେ । ବାପା ମୂଲ ମଜୁରୀ ଲାଗି ଯାହା ଆଣନ୍ତି ସେଥିରେ ତାଙ୍କ ପରିବାର ଚଳେ । ଗତ କିଛି ଦିନ ତଳେ ପଶ୍ଚିମବଙ୍ଗର ସିଲିଗୁଡିରେ ହୋଇଥିବା ଜାତୀୟସ୍ତରର ପ୍ରତିଯୋଗୀତାରେ ଚମ୍ପିୟାନ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ପ୍ରୀତି ରଞ୍ଜନ । ଏବେ ସେ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଚୟନ ହୋଇଛନ୍ତି । ଯାହାକୁ ନେଇ ପୁରା ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।
ଆସନ୍ତା ମାର୍ଚ୍ଚ 7ତାରିଖରେ ଥାଇଲାଣ୍ଡର ପଟାୟାଠାରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ କିକ୍ ବକ୍ସିଂ ଚମ୍ପିୟାନସିପ୍ । ଯେଉଁଥିରେ ପ୍ରୀତି ରଞ୍ଜନ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଚମ୍ପିୟାନ ହୋଇ ଗାଁ ଓ ଦେଶର ନାଁ ରଖିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପାଠପଢା ସହିତ ସେ ନିଜର ଅଭ୍ୟାସ ଜାରି ରଖିଛନ୍ତି ।
ସେପଟେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ କିକ୍ ବକ୍ସିଂ ପାଇଁ ବହୁ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ସେ କହିଛନ୍ତି । ବାପା ମଧ୍ୟ ତାଙ୍କୁ ସହାୟତା ଯୋଗାଇବାରେ ନିରୂପାୟ ହୋଇପଡୁଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ପ୍ରୀତି ରଞ୍ଜନ ଅନେକ ବାଟ ଆଗକୁ ଯାଇପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ପ୍ରୀତି ରଞ୍ଜନ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଯଦି ତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳନ୍ତା ତେବେ ଭବିଷ୍ୟତରେ ସେ ଜଣେ ଆଗ ଧାଡିର କିକ୍ ବକ୍ସର ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ