ଓଡିଶା

odisha

ETV Bharat / state

ଅସୁରକ୍ଷିତ ନଦୀବନ୍ଧ:ବନ୍ୟା ଆଶଙ୍କାରେ ଭୟଭୀତ ଗ୍ରାମବାସୀ - korei flood affect

ଗତ କିଛିବର୍ଷ ଧରି ଲଗାତାର ଭାବେ ବନ୍ୟା ଯୋଗୁଁ ଅସୁରକ୍ଷିତ ହୋଇପଡିଛି ଯାଜପୁର ଜିଲ୍ଲାର ଅନେକ ନଦୀବନ୍ଧ। ଜିଲ୍ଲାର ଅନେକ ଗ୍ରାମ ବନ୍ୟା ଜଳରେ ଘେରାବନ୍ଦୀ ହୋଇ ରହିବା ସହ ଲୋକଙ୍କ ଘର ଭତରେ ଆଣ୍ଠୁଏ ପାଣି ଥାଏ । ଲୋକେ ସରିସୃପ ଡରରେ ଘର ଛାତ କିମ୍ବା ରାସ୍ତା ଉପରେ ଆଶ୍ରୟ ନେଇଥା’ନ୍ତି । ହେଲେ ପ୍ରଶାସନର ନଜର ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଅସୁରକ୍ଷିତ ନଦୀବନ୍ଧ: ବନ୍ୟାଜଳ ଆତଙ୍କରେ ଭଯଭୀତ ଗ୍ରାମବାସୀ
ଅସୁରକ୍ଷିତ ନଦୀବନ୍ଧ: ବନ୍ୟାଜଳ ଆତଙ୍କରେ ଭଯଭୀତ ଗ୍ରାମବାସୀ

By

Published : Aug 7, 2021, 6:43 AM IST

ଯାଜପୁର: ଅସୁରକ୍ଷିତ ହୋଇପଡିଛି ଯାଜପୁର ଜିଲ୍ଲାର ଅନେକ ନଦୀବନ୍ଧ। ବିଶେଷ କରି ଗତ କିଛିବର୍ଷ ଧରି ଲଗାତାର ଭାବେ ବନ୍ୟା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ତେବେ ନଦୀବନ୍ଧ ସୁରକ୍ଷା ଏବଂ ନୂତନ ବନ୍ଧ ନିର୍ମାଣ ନିମନ୍ତେ କୋଟିକୋଟି ଟଙ୍କା ଆସୁଥିବା ବେଳେ ନାଁକୁ ମାତ୍ର ବନ୍ଧ ନିର୍ମାଣ କରାଯାଇ ସମସ୍ତ ଟଙ୍କା ହଡ଼ପ ହେଉଥିବାର ଅଭିଯୋଗ ହୋଇଛି ।

ଅସୁରକ୍ଷିତ ନଦୀବନ୍ଧ: ବନ୍ୟା ଆଶଙ୍କାରେ ଭୟଭୀତ ଗ୍ରାମବାସୀ


ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର, ମକୁନ୍ଦପୁର ପଞ୍ଚାୟତର କିଛି ଏପରି ଦୃଶ୍ୟ ଯାହା ଭୟଭୀତ କରିଦେବ । ପ୍ରତିବର୍ଷ ବନ୍ୟା ଆସିଲେ ଏଠିକାର ବଡ ତ୍ରିଲୋଚନପୁର, ସାନ ତ୍ରିଲୋଚନପୁର, ସୋତୀ, ହାଟସାହି, ମିର୍ଜାପୁର ଆଦି ଅଞ୍ଚଳର ଶହଶହ ଗ୍ରାମବାସୀ ଘରଦ୍ୱାର ଛାଡି ବନ୍ଧ ଉପରେ ଏବଂ ଘରର ଛାତ ଉପରେ ଆଶ୍ରୟ ନେଇଥାନ୍ତି। ଅତ୍ୟନ୍ତ ଅସହାୟ ଭାବେ ସରୀସୃପ, ବନ୍ୟପ୍ରାଣିରୁ ପିଲାଛୁଆଙ୍କ ଜୀବନ ବଞ୍ଚାଇବା ନିମନ୍ତେ କରୁଥିବା ଉଦ୍ୟମ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ଖରସ୍ରୋତା ନଦୀର ପ୍ରଖର ସ୍ରୋତରେ ଏହିସବୁ ଗାଁ ଗୁଡ଼ିକ ମାସମାସ ଧରି ପାଣି ଭିତରେ ବୁଡି ରହିଥାଏ। ବନ୍ଧ ନିର୍ମାଣ ପାଇଁ ପ୍ରତିବର୍ଷ ଟଙ୍କା ଆସେ କିନ୍ତୁ, ଖର୍ଚ୍ଚ କେଉଁଠି ହୁଏ ତାହା ଜାଣିବା ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ। ଅଭିଯୋଗର ଲମ୍ବା ତାଲିକା ଶୁଣିବାକୁ ମିଳେ ଏହିସବୁ ଗ୍ରାମବାସୀଙ୍କ ପାଖରୁ।


କୋରେଇ ବ୍ଲକ ଅଧୀନରେ ଅନେକ ଗ୍ରାମ ବନ୍ୟା ପ୍ଲାବିତ । ସେହି ଗ୍ରାମ ଗୁଡିକର ଷାଠିଏ ଭାଗରୁ ଉର୍ଦ୍ଧ୍ବ ପରିବାର ଚାଷକାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି କିନ୍ତୁ, ପ୍ରତିବର୍ଷ ବନ୍ୟା ସେମାନଙ୍କ ସ୍ୱପ୍ନକୁ ଧୂଳିସାତ କରିଦିଏ। ଅନେକ ଚାଷୀ ଏକର ଏକର ଜମିରେ କରିଥିବା ଚାଷକୁ ବନ୍ୟାଜଳ ସମ୍ପୂର୍ଣ୍ଣ ଧୋଇନେବା ସହ ପୁରା ଜମିରେ ପଟୁ ମାଟି ଛାଡିଦିଏ । ଫଳରେ ଚାଷୀକୁଳ ହତାଶ ଏବଂ ନିରାଶା ମଧ୍ୟରେ ଗତି କରନ୍ତି। ସରକାର ନଦୀବନ୍ଧ ଯୋଜନା କରିଛନ୍ତି କିନ୍ତୁ, ଏହି ଯୋଜନା କାହାପାଇଁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି ? ଯେତେ ଗୁହାରି କଲେ ମଧ୍ୟ ବର୍ଷବର୍ଷ ଧରି କେବଳ ପ୍ରତିଶ୍ରୁତି ମିଳିବା ଛଡା କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ।



ତେବେ ଏ ସମ୍ପର୍କରେ କୋରେଇ ବିଡ଼ିଓ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ପଚାରିବାରୁ ଖୁବଶୀଘ୍ର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବିଭାଗ ମାନଙ୍କ ସହ ଆଲୋଚନା କରାଯାଇ ପଥର ପ୍ୟାକିଙ୍ଗ ଏବଂ ବ୍ୟାପକ ବୃକ୍ଷରୋପଣ କରାଯାଇ ବନ୍ଧକୁ ସୁରକ୍ଷିତ କରାଯିବ ବୋଲି ସେମାନେ କହିଛନ୍ତି । ତେବେ ଦେଖିବା କଥା, ପ୍ରଶାସନର ପ୍ରତିଶ୍ରୁତି ପୂର୍ବଭଳି ପ୍ରତିଶ୍ରୁତିରେ କେବଳ ରହିଯାଉଛି ନା କୋରେଇ ଅଞ୍ଚଳରେ ଏହି ବନ୍ୟାପ୍ଲାବିତ ଲୋକଙ୍କର ଦୁଃଖ ଦୂର ହେଉଛି, ତାହାକୁ ସମସ୍ତଙ୍କର ଅପେକ୍ଷା।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details