ଓଡିଶା

odisha

By

Published : Nov 7, 2019, 10:56 PM IST

ETV Bharat / state

ବିଦାୟ ନେଲେ ମା', ଗୋଟିଏ ପଡିଆରେ ଶ୍ରଦ୍ଧାଳୁ ଦେଖିଲେ 13ଟି ମେଢ

ଶେଷ ହୋଇଛି ଚଳିତବର୍ଷର କାଳୀପୂଜା । ବିଳମ୍ବ ରାତ୍ରୀରେ ମାଙ୍କ ମୃଣ୍ମୟୀ ମୂ୍ର୍ତ୍ତୀକୁ ବିସର୍ଜନ କରାଯାଇଛି ।

ବିଦାୟ ନେଉଛନ୍ତି ମା', ଜମୁଛି ଭଷାଣ

ଯାଜପୁର: ବ୍ୟାସନଗର ସହରରେ ଶେଷ ହୋଇଛି ଏବର୍ଷର କାଳୀପୂଜା । ବିଳମ୍ବ ରାତ୍ରୀରେ ମାଙ୍କ ମୃଣ୍ମୟୀ ମୂ୍ର୍ତ୍ତୀକୁ ବିସର୍ଜନ କରାଯାଇଛି । 13ଟି ମଣ୍ଡପରେ ଦୀର୍ଘ 11 ଦିନ ଧରି ଧୁମଧାମରେ ପାଳିତ ହୋଇଥିଲା କାଳୀପୂଜା । ଶେଷରେ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି 23ତମ କାଳୀ ମେଳଣ ଓ ଭସାଣ ଉତ୍ସବ ।

ସହରର ସମସ୍ତ ମେଢ ବିରାଟ ପଟୁଆରରେ ଆସି କାଳୀ ମେଳଣ ପଡିଆରେ ଏକତ୍ର ହୋଇଥିଲେ । ସମଗ୍ର ସହର ଉତ୍ସବ ମୁଖରିତ ହୋଇ ଉଠିଥିଲା । ଏହାକୁ ଉପଭୋଗ କରିବାକୁ ପଡିଆରେ ଲକ୍ଷାଧିକ ଦର୍ଶକଙ୍କ ଭିଡ ଜମିଥିଲା । ଦର୍ଶକଙ୍କୁ ସମସ୍ତ ମେଢକୁ ଗୋଟିଏ ଜାଗାରେ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା ।

ବିଦାୟ ନେଉଛନ୍ତି ମା', ଜମୁଛି ଭଷାଣ

ରାତି ତମାମ୍ ଖଚାଖଚ୍ ଦର୍ଶକରେ ପୁରି ଉଠିଥିଲା ମେଳଣ ପଡିଆ । ରାସ୍ତାଘାଟ ବି ହୋଇଉଠିଥିଲା ଲୋକାରଣ୍ୟ । ମେଢ ମେଢ ମଧ୍ୟରେ ଲାଗି ରହିଥିଲା ପ୍ରତିଯୋଗୀତା । ନାଚଗୀତ ଓ ବାଦ୍ୟଯନ୍ତ୍ର ସହିତ ବିରାଟ ପଟୁଆରରେ ମାଙ୍କୁ ନିଆଯାଇଥିଲା ମେଳଣ ପଡିଆକୁ । ସେହିଠାରେ ହିଁ ସମସ୍ତ ମେଢ ଏକତ୍ର ହୋଇଥିଲେ । ଇଲେକ୍ଟ୍ରିକ ଦୋଳୀ, ଅପେରା, ମୀନାବଜାରରେ ପୁରିଉଠିଥିଲା ମେଳଣ ପଡିଆ । ବିଭିନ୍ନ ମଜାଦାର ଖାଦ୍ୟ ଖାଇ ଶୀତୁଆ ରାତିର ମଜା ନେଇଥିଲେ ଦର୍ଶକ ।

ଦୀର୍ଘ 23 ବର୍ଷରେ ପଦାର୍ପଣ କରିଛି କାଳୀମେଳଣ ଉତ୍ସବ । ସହର ବଢିବା ସାଙ୍ଗକୁ ମେଳଣ ଉତ୍ସବ ମଧ୍ୟ ନିଜର କଳେବର ବୃଦ୍ଧି କରିଛି । ସ୍ଥାନୀୟ ପୌର ପ୍ରଶାସନ ଏବଂ ଚଣ୍ଡିକ୍ଲବର ମିଳିତ ଉଦ୍ୟମରେ ପ୍ରଥମେ 4ଟି ମେଢକୁ ନେଇ ଆରମ୍ଭ ହୋଇଥିଲା ଏହି ମେଳଣ । ଏବେ ସହର ସମସ୍ତ 13ଟି ଯାକ ମେଢ ମେଳଣ ପଡିଆରେ ଏକତ୍ର ହୋଇଥିଲେ । ଭସାଣ ସାଙ୍ଗକୁ ମେଳଣ ଉତ୍ସବ ସୁରୁଖୁରୁରେ ଉପଭୋଗ କରିବାର ସୁଯୋଗ ପାଇଥିଲେ ଲକ୍ଷାଧିକ ଦର୍ଶକ ।

ସେପଟେ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ବ୍ୟାପକ ବନ୍ଦବସ୍ତ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ସହର ପାଲଟିଥିଲା ପୋଲିସ ଛାଉଣୀ । ଏସପି, ଅତିରିକ୍ତ ଏସପି, କଳିଙ୍ଗନଗର ଏଡିଏମ୍, ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ । ସ୍ଥାନୀୟ ବିଧାୟକ ଅଶୋକ କୁମାର ବଳ ବାଇପାସ୍ ଛକରେ ଶାନ୍ତିକମିଟି ସହ ସାମିଲ ହୋଇ ମେଢଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ମେଳଣ ଉତ୍ସବ ଶେଷ ହେବା ପରେ କହ୍ନେଇପୁର ପଡିଆରେ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଏକ ଜଳାଶୟରେ ମାଙ୍କ ମୃଣ୍ମୟୀ ମୂର୍ତ୍ତୀ ବିସର୍ଜନ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details