ହାଇଦ୍ରାବାଦ: ଭୟଙ୍କର ବନ୍ୟା ବିତ୍ପାତର ବିଭୀଷିକା ଭିତରେ ପିଡିତଙ୍କ ବନ୍ଧୁ ପାଲଟଛନ୍ତି ରାଜ୍ୟ ଓଡ୍ରାଫ ବାହିନୀ । ନିଜର ସେବା ଓ ମୂଲ୍ୟବୋଧର ନିଷ୍ଠାପର ଦାୟିତ୍ବକୁ ତୁଲାଇବାରେ ପଛଘୁଞ୍ଚା ଦେଇ ନାହାଁନ୍ତି ଏମାନେ । ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନରକ୍ଷାର ବାହାକ ସାଜିଛନ୍ତି ‘ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ’ ବା ଓଡ୍ରାଫ ବାହିନୀ ।
ବନ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ଉପକୂଳ ଓଡିଶାର ଯାଜପୁର ଜିଲ୍ଲାରେ ନିଜ ତ୍ବରିତ ଉଦ୍ଧାରକାର୍ଯ୍ୟର ସ୍ବଦକ୍ଷତା ପ୍ରତିପାଦିତ କରିଛନ୍ତି ଏହି ଓଡ୍ରାଫ ଟିମ । ହାବିଲଦାର ଦେବାଶିଷ ନରେନ୍ଦ୍ରଙ୍କ ନେତୃତ୍ବରେ ଗଠିତ 27 ଜଣିଆ ଟିମ ଏହି ଅଞ୍ଚଳରେ ଜାରି ରଖିଛି ନିଜର ଉଦ୍ଧାର କାର୍ଯ୍ୟ । ଏହି ଟିମର ଆନ୍ତରିକ ସେବା ଭାବ ଦେଖିଲେ ପ୍ରଶଂସା ନକରି ଯେକେହି ମଧ୍ୟ ରହିପାରିବ ନାହିଁ ।
ବରୀ ବ୍ଲକର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ପଞ୍ଚାୟତରେ ପହଞ୍ଚି ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ଠାରୁ ଆରମ୍ଭ କରି ପାନୀୟ ଜଳ ଏବଂ ସର୍ବୋପରି ଜଣେ ଡାକ୍ତରଙ୍କୁ ସାଥିରେ ନେଇ ମେଡିସିନ ମଧ୍ୟ ପ୍ରଦାନ କରିଛନ୍ତି । ଏହା ସହ ଚାଉଳ, ଡ଼ାଲି, ଚୁଡ଼ା ଏବଂ ଅନ୍ୟାନ ରାସନ ସାମଗ୍ରୀ ମଧ୍ୟ କ୍ଷତିଗ୍ରସ୍ତଙ୍କ ନିକଟରେ ପହଁଚାଇଛନ୍ତି ।