ଯାଜପୁର : ରାତି ପାହିଲେ କାଳୀପୂଜା । ଏଥିପାଇଁ ଯାଜପୁରର ବ୍ୟାସନଗର ସହର ଚଳଚଞ୍ଚଳ ହୋଇଉଠିଛି । ଚଳିତ ବର୍ଷ ସହରର 14ଟି ମଣ୍ଡପରେ ପାଳିତ ହେବାକୁ ଯାଉଛି ମା ଶ୍ୟାମାକାଳୀଙ୍କ ପୂଜା । ମଣ୍ଡପରେ ସୁନ୍ଦରସୁନ୍ଦର ତୋରଣ ସହିତ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଗଢା ଚାଲିଛି ବାରୁଆଳି।
ଶେଷ ପର୍ଯ୍ୟାରେ ପ୍ରସ୍ତୁତି, କାଳୀପୂଜା ପାଇଁ ଉତ୍ସବମୁଖର ବ୍ୟାସନଗର ସହର ମଣ୍ଡପରେ ପୂଜା ପାଇବେ ମା କାଳୀଙ୍କ ମୃଣ୍ମୟୀମୂର୍ତ୍ତୀ । ମଣ୍ଡପରେ ଯୁଦ୍ଧକାଳୀନ ଭାବରେ ମା'ଙ୍କ ମୂର୍ତ୍ତୀଗଢା ଚାଲିଛି । କୋଭିଡ୍ କଟକଣା ହଟିବା ପରେ ଏଥର ଅଧିକାଂଶ ମଣ୍ଡପରେ ସ୍ଥାନପାଇଛି ମୀନାବଜାର ଓ ଇଲେକ୍ଟ୍ରିକ ଦୋଳି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସନ୍ଧ୍ୟାରେ ଆୟୋଜିତ ହେବ ନାନା ସାଂସ୍କୃତିକ କାର୍ଯ୍ୟକ୍ରମ ।
ଦୋକାନ ଓ ମୀନାବଜାରରେ ପୁରି ଉଠିବ ମଣ୍ଡପ ପରିସର । କିଛି ସ୍ଥାନରେ ଇଲେକ୍ଟ୍ରିକ ଦୋଳିର ଆୟୋଜନ ମଧ୍ୟ କରାଯାଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ଆୟୋଜିତ ହେବ ମେଲୋଡି ଓ ନାଚଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏବର୍ଷ 14 ଦିନ ଧରି ପାଳିତ ହେବ ଏହି ଗଣପର୍ବ ।
ସହରର କୋପଣ୍ଡ, ନୂଆମାର୍କେଟ୍, ଷ୍ଟିଲସିଟି, ଗୋପବନ୍ଧୁ ମାର୍ଗ, ବସଷ୍ଟାଣ୍ଡ, ରେଳବାଇ ବିଏନଆର୍, ରାଧାନାଥ ମାର୍ଗ, ଚୋରଦା, ଚାନ୍ଦମା, ଧବଳଗିରି ପ୍ରଭୃତି 14ଟି ମଣ୍ଡପରେ ହେବ ମା' ଶ୍ୟାମାକାଳୀଙ୍କ ପୂଜା । ସେପଟେ ଶ୍ରଦ୍ଧାଳୁ ଯେପରି ସୁରୁଖୁରୁରେ ମା'ଙ୍କ ଦର୍ଶନ କରିପାରିବେ ସେଥିପାଇଁ ପୂଜାକମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଯାତାୟାତର ସୁବିଧା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶାନ୍ତିଶୃଙ୍ଖଳାରେ ପୂଜା ସମାପନ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଶାନ୍ତିକମିଟି ସହ ଆଲୋଚନା କରି ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଶେଷରେ କାଳୀ ମେଳଣ ପଡିଆରେ ଅନୁଷ୍ଠିତ ହେବ କାଳୀ ମେଳଣ ଓ ଭସାଣୀ ଉତ୍ସବ । ଏହିଦିନ ସହରରେ ଲକ୍ଷାଧିକ ଲୋକଙ୍କ ଭିଡ ହେବାର ସମ୍ଭାବନା ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ପକ୍ଷରୁ କରାଯାଉଛି ବ୍ୟାପକ ବ୍ୟବସ୍ଥା ।
କୋଭିଡ ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ଧରି କାଳୀ ପୂଜା ପାଳନ ହୋଇପାରନଥିଲା । ଲୋକମାନେ ଘରେ ରହି ମା’ଙ୍କ ପୂଜାକୁ ଟିଭି ମାଧ୍ୟମରେ ଦର୍ଶନ କରିଥିଲେ । ତେବେ ଚଳିତବର୍ଷ କୋଭିଡ ମହାମାରୀକୁ ବିଦାୟ ଦେଇ ମା’ଙ୍କୁ ପାଖରୁ ଦେଖିବେ ଶ୍ରଦ୍ଧାଳୁ । ଆସନ୍ତା କାଲିଠୁ ମାଙ୍କ ପୂଜା ଅନୁଷ୍ଠିତ ହେବ । ଏହି ପୂଜାକୁ ଏଥର ଯାଜପୁର ବ୍ୟାସନଗରରେ ସବୁଠୁ ସୁନ୍ଦର କରିବା ପାଇଁ ଚାଲିଛି ନାନା ପ୍ରସ୍ତୁତି ।
ଇଟିଭି ଭାରତ, ଯାଜପୁର