ଯାଜପୁର:କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ ଉପସ୍ଥାପନା ପରେ ରାଜ୍ୟରେ ବଜେଟକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଖାସ କରି ରେଳ ବଜେଟକୁ ନେଇ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ମୁଣ୍ଡ ଟେକିବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ, ମିଳିତ ଟ୍ରେଡ ୟୁନିୟନ ଏବଂ ରେଳ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ ଆନ୍ଦୋଳନ ।
ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ, ଯାଜପୁର ରୋଡ ଚୂନଭାଟି ନିକଟରେ ଓଭରବ୍ରିଜ ନିର୍ମାଣ, ଯାଜପୁର ରୋଡ ରେଳଷ୍ଟେସନକୁ ଡିଭିଜନ ଭାବେ ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ସମସ୍ତ ଦୃତଗାମୀ ଟ୍ରେନର ରହଣି ଆଦି ବିଭିନ୍ନ ଦାବିରେ ଯାଜପୁର ରୋଡ-ଧାମରା ରେଳପଥରେ ସଂଗ୍ରାମ ସମିତି ପକ୍ଷରୁ ଯାଜପୁର ରୋଡ ରେଳଷ୍ଟେସନରେ ରେଳରୋକ କରାଯାଇଥିଲା ।
ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସଙ୍କ ନେତୃତ୍ବରେ ବିଭିନ୍ନ ରାଜନୈତିକ ଦଳ ଓ ଟ୍ରେଡ ୟୁନିୟନର ନେତୃତ୍ବ ମାନେ ସାମିଲ ହୋଇଥିଲେ। ପୂର୍ବତନ ସାଂସଦ ତଥା ସଂଗ୍ରାମ ସମିତି ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ଶ୍ରମିକ ନେତା ମାୟାଧର ନାୟକ, ପ୍ରଫୁଲ୍ଲ ନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ତଥା ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ । ବିଭିନ୍ନ ଦଳ ଏବଂ ଟ୍ରେଡ ୟୁନିୟନରୁ 500ରୁ ଊର୍ଦ୍ଧ୍ବ ଲୋକ ଏଥିରେ ସାମିଲ ହୋଇଥିଲେ ।