ଯାଜପୁର: କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବ୍ୟାସନଗର ସହର । ସହରରେ 13ଟି ମଣ୍ଡପରେ ପାଳିତ ହେଉଛି ମା’ କାଳୀଙ୍କ ପୂଜାର୍ଚ୍ଚନା । ମଣ୍ଡପରେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ କରାଯାଇଥିବା ବେଳେ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସାରା ସହର। ତେବେ ଆସନ୍ତା 6 ତାରିଖରେ ଅନୁଷ୍ଠିତ ହେବ ମା’ଙ୍କ ମେଲଣ ଯାତ୍ରା। ଯାହା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଯାଜପୁର ଜିଲ୍ଲା।
ବିଭିନ୍ନ ମଣ୍ଡପରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତୀ ପୂଜା ପାଇବା ସହ ଆଧୁନିକ ଓ ପୌରାଣିକ ଘଟଣାବଳୀକୁ ନେଇ ଗଢାଯାଇଛି ବାରୁଆଳି । ଏଥିସହ କେତେକ ମଣ୍ଡପରେ ମୀନାବଜାର ଓ ଦୋଳି ମଧ୍ୟ ସ୍ଥାନ ପାଇଛି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସନ୍ଧ୍ୟାରେ ଆୟୋଜିତ ହେଉଛି ମେଲୋଡି ଓ ଭଜନ ସଂନ୍ଧ୍ୟା ଭଳି ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ । ମେଳା ପରିସରରୁ ମା’ଙ୍କ ଦର୍ଶନ ସହିତ ଘରକରଣା ଜିନିଷ କ୍ରୟ କରୁଛନ୍ତି ଗୃହିଣୀ । ଚାଟ, ଗୁପଚୁପ ଭଳି ମଜାଦାର ଖାଦ୍ୟ ଖାଇ ମଜା ଉଠାଉଛନ୍ତି ଦର୍ଶକ। ମଣ୍ଡପ ନିକଟରେ ବିଳମ୍ବିତ ରାତ୍ରି ଯାଏ ମେଲୋଡି ନାଚଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି । ମେଳାକୁ ଭଲ କରିବା ପାଇଁ କମିଟି ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖାଦେଇଛି ।