ଯାଜପୁର: ପୂର୍ବରୁ ହୀରାକୁଦରୁ ୪୦ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଧର୍ମଶାଳା ଏବଂ ବଡଚଣା ବ୍ଲକ ମହାନଦୀର ଶାଖା ବଡଗେଙ୍ଗୁଟି ନଦୀ ଦ୍ବାରା ପ୍ରଭାବିତ ହୋଇଛି । ଧର୍ମଶାଳା ବ୍ଲକର ପଟୁଣିଆ ପଞ୍ଚାୟତରେ ମହାନଦୀର ଶାଖା ଗେଙ୍ଗୁଟି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ୍ୟାଜଳ ଚାଷ ଜମିରେ ପ୍ରବେଶ କରିଥିବାରୁ ଫସଲ ବେଶ ପ୍ରଭାବିତ ହୋଇଛି ।
ଯାଜପୁରର ଦଶରଥପୁର ଅଞ୍ଚଳରେ ବୈତରଣୀ ଶାଖା କାଣୀ ନଦୀରେ ବନ୍ୟା ଯୋଗୁଁ ଏବେ ବି ୧୦ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ରହିଛି । ସେପଟେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ମହାନଦୀର ଶାଖା ଗେଙ୍ଗୁଟି ନଦୀରେ ବନ୍ୟାଜଳ ପ୍ରବେଶ କରି ଜିଲ୍ଲାର ବଡଚଣା ଧର୍ମଶାଳା ବ୍ଲକର ତଳିଆ ଅଞ୍ଚଳ ଗୁଡ଼ିକୁ ପ୍ରଭାବିତ କରିଛି । ବୁଧବାର ରାତିରେ ଗ୍ରାମରେ ପାଣି ପଶିବା ଯୋଗୁଁ ଲୋକେ ଘରଛାଡି ରାତିସାରା ବାହାରେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଥିଲା । ଏହାସହ ଧର୍ମଶାଳା ବ୍ଲକ୍ ପଟୁଣିଆ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଚାଷୀମାନେ ଏକର ଏକର ଚାଷ ଜମିରେ ଧାନ, ନଳିତା ଓ ଆଖୁ ଚାଷ କରିଥିବା ବେଳେ ବନ୍ୟାଜଳ ଚାଷ ଜମିରେ ମାଡିଯିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀକୂଳ ।