ଯାଜପୁର: ପୁରାଣ କାଳରୁ ଯାଜପୁର ବ୍ୟାସନଗର ସହରର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଆସିଛି ବ୍ୟାସ ସରୋବର ମେଳା । ଆଜି ପବିତ୍ର ଭୌମ ଏକାଦଶୀ ତିଥିରୁ ହିଁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ । ପୌର ପରିଷଦ ପକ୍ଷରୁ ଗତ 14 ବର୍ଷ ହେବ ଆୟୋଜିତ ହେଉଛି ଏହି ମହୋତ୍ସବ ।
ଯାଜପୁର ବ୍ୟାସନଗର ସହର ଉପକଣ୍ଠରେ ରହିଛି ପ୍ରସିଦ୍ଧ ବ୍ୟାସସରୋବର ପୀଠ । ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡିଆ ମହାଭାରତର ଭାରଦା ଉପାଖ୍ୟାନରେ ପୀଠର ମାହାତ୍ମ୍ୟ ସମ୍ପର୍କରେ ରହିଛି ବର୍ଣ୍ଣନା । ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ୟୋଧନ ଏକଦା ଏଠାରେ ଥିବା ଗୁପ୍ତଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ । ଭୀମଙ୍କ ତୃତୀୟ ରଡି ସହି ନପାରି ସେ ଯୁଦ୍ଧକ୍ଷେତ୍ରକୁ ବାହାରି ଆସିଥିଲେ ଏବଂ ଏହି ଠାରେ ପାଣ୍ଡବଙ୍କ ନିକଟରେ ପରାସ୍ତ ହୋଇ ନିଧନ ହୋଇଥିଲେ ବୋଲି ବିଶ୍ବାସ ରହିଛି ।
ବିଶ୍ବାସ ରହିଛି, ବ୍ୟାସଦେବ ଏଠାରେ ମହାଭାରତର ଶେଷପର୍ବ ରଚନା କରିଥିଲେ । ଏହି ପୀଠ ହେଉଛି ବ୍ୟାସଙ୍କ ପରମଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ । ପୀଠର ପୌରାଣିକ କିମ୍ବଦନ୍ତୀକୁ ଉଜ୍ଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ ମହର୍ଷି ବ୍ୟାସ ଓ ଭକ୍ତ ରାଘବଜୀଉଙ୍କର ଏଠାରେ ଏକତ୍ର ଭାବେ ପୂଜା କରାଯିବାର ନିଆରା ପରମ୍ପରା ରହିଆସିଛି । ରାଘବ ଜୀଉଙ୍କ ମନ୍ଦିର ପରିସରରେ ଭଜନକୀର୍ତ୍ତନ ସହିତ ଚାଲିଛି ନାମଯଜ୍ଞ ।