ଯାଜପୁର: ଜିଲ୍ଲା ଏବେ ଓଡିଶା ମାନଚିତ୍ରର ପର୍ଯ୍ୟଟନ କ୍ଷେତ୍ରରେ ହବ ହେବାକୁ ଯାଉଛି l ଯାଜପୁର ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ବିକାଶ ମୂଳକ ପ୍ରକଳ୍ପ କାର୍ଯ୍ୟ । ଏହା ଭିତରେ ଏବେ ଅନ୍ୟତମ ନିର୍ମାଣ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ହେଉଛି ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଏହି ମୂର୍ତ୍ତି ସାରା ଓଡିଶାର ଉଚ୍ଚତମ ମୂର୍ତ୍ତି ହେବ ବୋଲି ଆକଳନ ହେଉଛି । ତେବେ ପୂର୍ବରୁ ରାଜ୍ୟର ରାଉରକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂର୍ତ୍ତି ରହିଥିବା ବେଳେ କୋରାପୁଟର ଦାମନଯୋଡି ଠାରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି । ତେବେ ଏହି ମୂର୍ତ୍ତି ଠାରୁ ଯାଜପୁରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପାଇଁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି । ତେବେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଜିଲ୍ଲାକୁ ଆସିବେ ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆକଳନ କରାଯାଉଛି l ଏହି ପ୍ରକଳ୍ପ କାର୍ଯ୍ୟର ମଙ୍ଗ ଧରିଛନ୍ତି ଜିଲ୍ଲା ପ୍ରଶାସନ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । କାର୍ଯ୍ୟ ଶେଷ ହେବାକୁ ଅନେଇ ବସିଛନ୍ତି ଜିଲ୍ଲାବାସୀ ।
ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ମା' ବିରଜା ମନ୍ଦିର, ଦଶାଶ୍ବମେଧ ଘାଟ, ଉଦୟଗିରି ଓ କୁସୁମା ଭଲି ସ୍ଥାନ ବୁଲିଥାନ୍ତି । ଏବେ ପର୍ଯ୍ୟଟନ କ୍ଷେତ୍ରରେ ଆଉ ପଦେ ପର୍ଯ୍ୟଟକଙ୍କୁ ଯାଜପୁରରେ ଆକୃଷ୍ଟ କରିବା ପାଇଁ ନିର୍ମାଣ ଚାଲିଛି 123ଫୁଟର ସୁଉଚ୍ଚ ଶିବ ମୂର୍ତ୍ତି। ମାତ୍ର ଆଉ ମାସ କେଇଟା ପରେ ପବିତ୍ର ବୈତରଣୀ ନଦୀ କୂଳରେ ଓଡିଶାର ସୁଉଚ୍ଚ ଧ୍ୟାନ ମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି। ତେବେ ଏହି ଶିବ ମୂତ୍ତିଟିର ଉଚ୍ଚତା ୧୨୩ ଫୁଟ ରହିଛି। ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୂମି ଠାରୁ ୩୦ ଫୁଟ ଉଚ୍ଚତାରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ତେବେ ଏହି ମୂର୍ତ୍ତି କାର୍ଯ୍ୟ ଶେଷ ହେଲେ ଭାରତ ବାହାରୁ କୌଣସି ପର୍ଯ୍ୟଟକ ଓଡିଶାକୁ ବୁଲିବାକୁ ଆସିଲେ ନିଶ୍ଚିତ ଯାଜପୁର ଆସିବେ ବୋଲି ଆକଳନ କଲେଣି ବୃଦ୍ଧିଜୀବୀ । ଏହି ଶିବ ମୂର୍ତ୍ତିର ନିର୍ମାଣ କାର୍ଯ୍ୟର ଭାର ନେଇଛି ଦିଲ୍ଲୀର ମାତୁରାମ ଆର୍ଟ ନାମକ ସଂସ୍ଥା । ତେବେ କାର୍ଯ୍ୟ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ମୂଲ୍ୟ ୯ କୋଟି ୮୦ ଲକ୍ଷ ୪୨ହଜାରରେ କାମ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତିରେ ୭୦ ପ୍ରତିଶତ କାମ ସରିଥିବା ବେଳେ ୧୨ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇସାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।