ଯାଜପୁର: ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଦିନକୁ ଦିନ ପ୍ରଦୂଷିତ ହେଉଛି ପୁରା ପରିବେଶ (environment pollution due to polythin) । ସମଗ୍ର ବିଶ୍ବ ଏବେ ଗ୍ଲୋବାଲ ୱାର୍ମିଂ ସାଙ୍ଗକୁ ପ୍ରଦୂଷଣର ଜାଲରେ ଛନ୍ଦି ହୋଇପଡିଛି । ମଣିଷର ଆବଶ୍ୟକତା ବୃଦ୍ଧି ପାଇବା ସହିତ ଜଳ, ସ୍ଥଳ ଓ ଆକାଶ ଧିରେ ଧିରେ ସବୁଠି ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ପ୍ରଦୂଷଣରେ ପରୁବେଶ କବଳିତ ହେବାଦ୍ବାରା ନିଶ୍ବାସ ନେବା ବି କଷ୍ଟ ହୋଇପଡିଲାଣି । ପ୍ରଦୂଷଣର ଅନେକ କାରଣ ମଧ୍ୟରୁ ପଲିଥିନ ହେଉଛି ଅନ୍ୟତମ ମୁଖ୍ୟ କାରଣ ।
ସହରୀ ସଭ୍ୟତା ବୃଦ୍ଧି ପାଇବା ଫଳରେ ପଲିଥିନର ବ୍ୟବହାର ଧିରେ ଧିରେ ବଢ଼ିବାରେ ଲାଗିଛି । ପଲିଥିନର ବ୍ୟବହାର ଏତେ ପରିମାଣର ବଢ଼ିଯାଇଛି ଯେ, ଯୁଆଡେ ଚାହିଁଲେ ସିଆଡେ କୁଢକୁଢ ପଲିଥିନ । ଯାଜପୁରର ଜିଲ୍ଲା ବ୍ୟାସନଗର ସହରରେ ମଧ୍ୟ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିିଛି । ଯେଉଁଠି ଏବେ ଗାଁ’ଠୁ ସହର ସବୁଆଡେ କୁଢ଼ କୁଢ଼ ପଲିଥିନ । ବଜାରକୁ କୌଣସି ଜିନିଷ ଆଣିବା ପାଇଁ ଗଲେ ବ୍ୟବହାର ହେଉଛି କେବଳ ପଲିଥିନ । ଦୋକାନରେ ପଲିଥିନରେ ପ୍ୟାକରେ ରହିଛି ଭଳିକି ଭଳି ଜିନିଷ । ଯଦିଓ ନଷ୍ଟ ହେଉନଥିବା ପଲିଥିନକୁ ସରକାର ସମ୍ପୂର୍ଣ୍ଣ ବ୍ୟାନ କରିଛନ୍ତି ତଥାପି ଏହି ନିୟମକୁ ଅଣଦେଖା କରି ପ୍ରତିଦିନ ବ୍ୟବହାର ହେଉଛି ଏହି ପଲିଥିନ । ରାସ୍ତା କଡରେ ଓ ଡ୍ରେନରେ ପଡୁଥିବା ଏହି ପଲିଥିନ ଯୋଗୁଁ ନାନା ସମସ୍ୟା ଦେଖାଦେଉଛି । କେତେବେଳେ ଗୋରୁ ଗାଈ ଏହି ପଲିଥିନ ଖାଇ ଅସୁସ୍ଥ ହେଉଛନ୍ତି ତ ଆଉ କେତେବେଳେ ଡ୍ରେନ ଜାମ ହୋଇ ଜଳନିଷ୍କାସନ ସମସ୍ୟା ସୃଷ୍ଟି ହେଉଛି ।
ପଲିଥିନ ବ୍ୟବହାରକୁ ବନ୍ଦ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ସତ କିନ୍ତୁ, ଲାଭ ସେତିକି ପରିମାଣରେ ହେଉନଥିବା ଦେଖିବାକୁ ମିଳିଛି । ନଷ୍ଟ ହେଉନଥିବା ପଲିଥିନର ବ୍ୟବହାର ବୃଦ୍ଧି ପାଉଥିବାରୁ ପରିବେଶ ଉପରେ ଏହାର କୁ-ପ୍ରଭାବ ପଡୁଛି । ମାଟିରେ ପଲିଥିନ ଗୁଡିକ ମିଶୁନଥିବାରୁ ମାଟିର ଉର୍ବରତା ହ୍ରାସ ପାଉଛି । ଏପରିକି ବର୍ଷା ଜଳ ମାଟି ଭିତରକୁ ଯାଉନାହିଁ । ଫଳରେ ଧିରେ ଧିରେ ଜଳସ୍ତର ହ୍ରାସ ପାଉଥିବା କୁହାଯାଉଛି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପଲିଥିନର ବ୍ୟବହାର ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ।