ଯାଜପୁର:ହାଡ ଭଙ୍ଗା ପରିଶ୍ରମକୁ, ହାତୁଡି ମାଡ । ନିଆଁ ଝାସ ପାଖରେ ଲୁହାରେ ଲହୁ ଢାଳି କାମ ଚାଲେ । ଦିନରାତି ଏକ କରି କଷ୍ଟକୁ ଭ୍ରୁକ୍ଷେପ କରି କଂସା ପିତଳ ଗଢାରେ ଲାଗି ପଡିଥାଏ କମାରଟିଏ । ହେଲେ ଏବେ ବଦଳି ଯାଇଛି ସମୟ। କୋରୋନା ମାଡ ଆଗରେ ଠପ୍ ହୋଇଯାଇଛି ହାତୁଡି ମାଡ । ଆଉ ଶୁଭୁନି ଲୁହା କି ପିତ୍ତଳର ଠକ୍ ଠକ୍ ଶଦ୍ଦ କି ଚଳଚଞ୍ଚଳ ହେଉନି କମାରଶାଳ।
ଏହା ହେଉଛି ଯାଜପୁର ଜିଲ୍ଲା ରସୁଲପୁର ଲକ୍ଷ୍ମୀନଗର ଅଞ୍ଚଳର 200 ରୁ ଊର୍ଦ୍ଧ କଂସାପିତଳ କାରିଗରଙ୍କ ଦୟନୀୟ ସ୍ଥିତି। ମହାମାରୀ ଆଗରେ ନିରୁପାୟ ହୋଇ ୫ ମାସ ହେବ ହାତବାନ୍ଧି ବସିଛି କୁଶଳୀ କାରିଗର । ବିକ୍ରି ହେଉନି ସେମାନଙ୍କ ସାମଗ୍ରୀ ଭାଙ୍ଗି ପଡିଛି ଆର୍ଥିକ ମେରୁଦଣ୍ଡ । ଯାହା ଫଳରେ ଜୀବନ ଜୀବିକାର ଦୋଛକିରେ ଛନ୍ଧି ହୋଇ କାରିଗରଟିର ସଂସାର ଗାଡି ଅଧାରେ ଅଟକି ଯାଇଛି। ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ କୁଶଳୀ କାରିଗର ।
ଯେଉଁ ହସ୍ତକଳା ଜିଲ୍ଲା ତଥା ରାଜ୍ୟକୁ ବାହାର ରାଜ୍ୟରେ ପରିଚୟ ଦେଇଛି, ତାହାକୁ କୌଳିକ ବୃତ୍ତି କରିଥିବା କାରିଗରମାନେ ଆଜି ଦୁର୍ଦ୍ଦିନରେ । ଗାଁ ରେ ୧୪ ଟି କଂସାପିତଳ ଶାଳରେ ଶତାଧିକ କାରିଗର କାର୍ଯ୍ୟ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ବର୍ତ୍ତମାନର ଏହି କଷ୍ଟଦାୟକ ସମୟରେ ସେମାନଙ୍କୁ ମଧ୍ୟ ଆବଶ୍ୟକ ସହାୟତା ।