ଯାଜପୁର:ଜମିପଟ୍ଟା ନଥିବାରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ । ଏଭଳି ଅଭିଯୋଗ ହେଇଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତର ଭାଲୁକାହୁଡ଼ି ଆଦିବାସୀ ସାହିରେ l ଏହି ସାହିରେ ଶହଶହ ବର୍ଷ ହେବ ବାସ କରୁଥିବା ଆଦିବାସୀ ପରିବାରକୁ ମିଳୁନି ଜମିପଟ୍ଟା । ବାରମ୍ବାର ବିଭିନ୍ନ ମହଲରେ ଅଭିଯୋଗ ପରେ ବି ଶୁଣୁନାହାନ୍ତି ସରକାର କି ଜିଲ୍ଲା ପ୍ରଶାସନ । ଯାହାଫଳରେ ଏହି ଆଦିବାସୀ ସାହିରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ସମସ୍ତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି l ଜମିପଟ୍ଟା ମିଳିନଥିିବା କାରଣରୁ ସରକାରୀ ସୁବିଧା ମିଳିବା ତ ଦୂରର କଥା ଜାତିଗତ ପ୍ରମାଣ ନପାଇ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଥିବା ମେଧାବୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ସେପଟେ ଉପ-ଜିଲ୍ଲାପାଳ କହିଛନ୍ତି ତଦନ୍ତ ପାଇଁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛି । ରିପୋର୍ଟ ଆସିଲେ ଏହି 66ଟି ଆଦିବାସୀ ପରିବାରକୁ ଜମିପଟ୍ଟା ପ୍ରଦାନ କରାଯିବ l
ଯାଜପୁର ବ୍ୟାସନଗର ତହସିଲଠାରୁ ମାତ୍ର ୮ କିଲୋମିଟର ଦୂରରେ କେନ୍ଦୁଝର ଓ ଯାଜପୁର ସୀମାନ୍ତରେ ଅବସ୍ଥିତ ଗୋହିରାଗାଡିଆ ଓ ଭାଲୁକାହୁଡ଼ି ଅଞ୍ଚଳ । ହେଲେ ଏଠାର ସରକାରୀ ଯୋଜନା ଅପହଞ୍ଚ । ଆଦିବାସୀମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିବା ଡିଣ୍ଡିମ ପିଟୁଛନ୍ତି l ମାତ୍ର ବ୍ୟାସନଗର ତହସିଲ ଅନ୍ତର୍ଗତ ଭାଲୁକାହୁଡ଼ି ଓ ଗୋହିରାଗଡି ଅଞ୍ଚଳରେ ରହୁଥିବା ୬୬ଟି ଆଦିବାସୀ ପରିବାର ଖଣ୍ଡେ ଜମିପଟ୍ଟା ପାଇବା ପାଇଁ ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହୋଇ ପଡ଼ିଲେଣି l ଏହି ଆଦିବାସୀ ପରିବାରକୁ କେବେ ଦେବେ ସରକାର ଜମିପଟ୍ଟା ସେ ନେଇ ପ୍ରଶ୍ନ ଉଠିଛି l ଆଦିବାସୀମାନଙ୍କୁ ନିଜ ହକ ମିଳିବାକୁ ଲାଗିଲାଣି ଶହ ଶହ ବର୍ଷ ।
ଏହା ବି ପଢନ୍ତୁ- ସମସ୍ୟା ଘେରରେ ରେଙ୍ଗାଲି ବିସ୍ଥାପିତ, 40 ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା
ମାତ୍ର ଏହି ଆଦିବାସୀ ପରିବାରକୁ ସରକାରଙ୍କ ଜଙ୍ଗଲ ଜମି ଆଇନ ହେଉ କି ଜାଗା ମିଶନ ଘରଢିହ ଯୋଜନା କି ବସୁନ୍ଧରା କେଉଁଥିରେ ବି ଜିଲ୍ଲାପ୍ରଶାସନ ସାମିଲ କରୁନଥିବା ଅଭିଯୋଗ କରିଛନ୍ତି ଆଦିବାସୀ ନେତା । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ବ୍ୟାସନଗର ତହସିଲ ଅର୍ନ୍ତଗତ ଗୋହିରାଗାଡିଆ ଓ ଭାଲୁକାହୁଡି ଅଞ୍ଚଳର ୬୬ ଟି ଆଦିବାସୀ ପରିବାର । ଶହ ଶହ ବର୍ଷ ହେବ ଯାଜପୁର କେନ୍ଦୁଝର ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ଏମାନେ ବସବାସ କରୁଥିବା ବେଳେ ସ୍ଥାୟୀ ପଟ୍ଟା ନଥିବାରୁ ଏମାନେ ଅନେକ ସରକାରୀ ଯୋଜନାରୁ ବଞ୍ଚିତ । ଖାଲି ସେତିକି ନୁହେଁ ଜମିପଟ୍ଟା ମିଳୁନଥିବାରୁ ଜାତିଗତ ପ୍ରମାଣ ଅଭାବରୁ ଏଠାରେ ରହୁଥିବା ଉଚଶିକ୍ଷିତ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀ ସାହିରେ ରହୁଥିବା ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ।
ଏହା ବି ପଢନ୍ତୁ- ଶୁଣୁନି ପ୍ରଶାସନ, ଜମିପଟ୍ଟା ପାଇଁ ପେରାଗ ଗ୍ରାମବାସୀଙ୍କ ଗୁହାରି