ଯାଜପୁର: ମାତିଛି ଦନ୍ତା । ଚାରିଆଡେ ଖେଳିଯାଇଛି ଆତଙ୍କ । ଯାଜପୁର ଜିଲ୍ଲାରେ ଗୋଟିଏ ଦନ୍ତା ନେଇଚାଲିଛି ଜୀବନ । ଏଥିପାଇଁ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ଜିଲ୍ଲାରେ ହାତୀ ଉପଦ୍ରବ ଏତେ ଭୟଙ୍କର ଯେ, ପ୍ରଶାସନ ପକ୍ଷରୁ ଆଜି କୋରେଇ ଓ ବ୍ୟାସନଗରର ସବୁ ସ୍କୁଲ ବନ୍ଦ କରିବାକୁ ଘେଷଣା ହୋଇଛି । ମାଇକରେ ପ୍ରଚାର କରି ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି । ବିଭିନ୍ନ ସ୍ଥାନରେ ରାତିରେ ପେଟ୍ରୋଲିଂ ହେଉଛି । ହେଲେ ଏବେ ଯାଏଁ ହାତୀଟି ଝରଛୁଆଁ ଦେଉନି । ହାତୀକୁ ଘଉଡେବାକୁ ବନ ବିଭାଗ ନାକେଦମ । ଏପଟେ ଲୋକେ ଭୟରେ ତାଟି କବାଟ ବନ୍ଦ କରି ଭୟରେ ଥରୁଛନ୍ତି ।
ହାତୀଟି ଯାଜପୁର ଏବଂ କେଉଁଝର ସୀମାନ୍ତ ଜଙ୍ଗଲରୁ ଜନବସତି ଆଡକୁ ପଶି ଆସିଥିଲା । ଜିଲ୍ଲାର ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ବିଭିନ୍ନ ସ୍ଥାନରେ ସେ ଉପଦ୍ରବ ମଚାଇଛି । ୧୯ ତାରିଖ ରାତିରେ ଦାନଗଦୀ ବ୍ଲକ୍ ବେଣାପାଟିଆ ଗାଁରେ ହାତୀ ଆକ୍ରମଣରେ ବେଣୁଧର ସିଦ୍ଧୁ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ । ସେହିପରି ଗୁରୁବାର ରାତିରେ ପାଣିକୋଇଲି ଥାନା ଶଙ୍ଖଚିଲା ଅଞ୍ଚଳର ଈଶ୍ବର ଦାସ ଏବଂ ଚିନ୍ତାମଣି ରାମ ନାମକ ଦୁଇଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ଦୁଇ ମଧ୍ୟ ଗୁରୁତର । ସେପେଟ ରସୁଲପୁର ଏବଂ କୋରାଇ ବ୍ଲକରେ ହାତୀଟି କିଆରିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛି । ଗାଁରେ ପଶି ଭଙ୍ଗାରୁଜା ମଧ୍ୟ କରିଛି । ଖବର ପାଇ ସ୍ଥାନୀୟ କୋରାଇ ବିଧାୟକ ଅଶୋକ ବଳ ମୃତାହତଙ୍କୁ ଭେଟି ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ବ୍ୟତିତ ହାତୀକୁ ନିୟନ୍ତ୍ରଣ ନେଇ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ତେବେ ହାତୀଟି ମହାଗିରି ପାହାଡ ଦେଇ ସୀମାନ୍ତବର୍ତ୍ତୀ କେଉଁଝରର ଦୈତାରୀ ପାହାଡ ପାଦଦେଶରେ ଥିବା ଜଙ୍ଗଲକୁ ପଳାଇବ ବୋଲି ଆଶା ରହିଛି ।