ଯାଜପୁର: ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଖିଲିପଙ୍ଗା ଗ୍ରାମରେ ଦଳର ଦୁଇ ଗୋଷ୍ଠୀ ହାତାହାତି ହୋଇଥିବା ସୂଚନା ।
ଯାଜପୁରରେ ବିଜେଡିର ଦୁଇ ଗୋଷ୍ଠୀ ହାତାହାତି, ଥାନାରେ ମାମଲା ଗତକାଲି(ଶନିବାର) ଅପରାହ୍ନରେ ଗ୍ରାମରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ସମୟରେ ଏପରି ହୋଇଥିଲା । ସଭାରେ କୋରେଇ ବିଧାୟକ ଅଶୋକ ବଳ ଭାଷଣ ଦେଉଥିବା ସମୟରେ ଏପରି ଘଟିଥିବା ଜଣାପଡିଛି ।
ଗତ ନିର୍ବାଚନରେ ବିଜେଡିକୁ କିଏ ଭୋଟ ଦେଇଛି ଆଉ କିଏ ନ ଦେଇଛି ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା, ହାତାହାତି ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଏହାକୁ ଆୟତ୍ତକୁ ଆଣିବା ପାଇଁ ଉଭୟ ପକ୍ଷଙ୍କୁ ଘଉଡାଇ ଦେଇଥିଲେ । ସେପଟେ ବିଧାୟକ ମଧ୍ୟ ଏହାପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ ।
ହାତାହାତିରେ କିଛି ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଘଟଣାକୁ ନେଇ କୋରେଇ ଥାନାରେ ଗୋଟିଏ ପକ୍ଷରୁ ଲିଖିତ ଏତଲା ଦିଆଯାଇଥିବାବେଳେ ଏହି ଏତଲା ଆଧାରରେ 8 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ପୋଲିସ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ